ର଼୍ୟାନାୟାର ବିମାନକୁ ଓହ୍ଲାଇଦେଲା ବେଲାରୁଷ୍‌

ମସ୍କୋ, ୨୫।୫: ବେଲାରୁଷ୍‌ କର୍ତ୍ତୃପକ୍ଷ ଏକ ଯୁଦ୍ଧବିମାନରେ ପିଛା କରି ର଼୍ୟାନାୟାର ବ୍ୟବସାୟିକ ବିମାନକୁ ମିନ୍‌ସ୍କଠାରେ ଜବରଦସ୍ତ ଓହ୍ଲାଇଦେବା ସହ ସେଥିରେ ଥିବା ବେଲାରୁଷ୍‌ର ଜଣେ ଖବରଦାତା ତଥା ବିରୋଧୀ କର୍ମୀଙ୍କୁ ଗିରଫ କରିଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଉତ୍ତେଜନା ପ୍ରକାଶ ପାଇବା ସହ ବିମାନକୁ ଜବରଦସ୍ତ ଓହ୍ଲାଇ ଦିଆଯିବା ପଛର ବୈଧତାକୁ ନେଇ ପ୍ରଶ୍ନ ଉଠିଛି। ବିମାନଟି ଏଥେନ୍ସରୁ ଲିଥୁଆନିଆର ଭିଲ୍‌ନିଅସ୍‌କୁ ଯାଉଥିବାବେଳେ ଏହାକୁ ବେଲାରୁଷ୍‌ ରାଜଧାନୀକୁ ନିଆଯାଇ ଅବତରଣ କରାଯାଇଥିଲା।
ର଼୍ୟାନାୟାର ମୁଖପାତ୍ରଙ୍କ କହିବା ଅନୁଯାୟୀ ବିମାନ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ ଥିବା ନେଇ ବେଲାରୁଷ୍‌ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ପକ୍ଷରୁ ବିମାନ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯିବା ସହ ଏହାକୁ ମିନ୍‌ସ୍କ ବିମାନବନ୍ଦରକୁ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବିମାନରେ ବିସ୍ଫୋରକ ଥିବା ନେଇ ବେଲାରୁଷ୍‌ କର୍ତ୍ତୃପକ୍ଷ ସୂଚନା ପାଇବା ପରେ ମିଗ୍‌-୨୯ ଯୁଦ୍ଧବିମାନରେ ଏହାର ପିଛା କରି ମିନ୍‌ସ୍କଠାରେ ଅବତରଣ କରାଇବା ପାଇଁ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାର ଲୁକାଶେନ୍‌ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ପରେ ବିମାନରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନ ଥିଲା। ଗିରଫ ୨୬ ବର୍ଷୀୟ ଖବରଦାତା ରୋମାନ ପ୍ରୋଟାସେଭିଚ୍‌ ପୋଲାଣ୍ଡର ଅନ୍‌ଲାଇନ ନ୍ୟୁଜ ସର୍ଭିସ ନେକ୍ସଟା ପାଇଁ କାର୍ଯ୍ୟ କରୁଥିଲେ। ଗତବର୍ଷ ବେଲାରୁଷ୍‌ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାରଙ୍କ ବିରୋଧରେ ଗଣ ବିକ୍ଷୋଭର ଫଟୋକୁ ଉକ୍ତ ନ୍ୟୁଜ୍‌ ସର୍ଭିସ ଟେଲିଗ୍ରାମ ମେସେଞ୍ଜର ଆପ୍‌ ଜରିଆରେ ପ୍ରସାରିତ କରିଥିଲା। ପ୍ରୋଟାସେଭିଚ୍‌ଙ୍କ ବିରୋଧରେ ଦଙ୍ଗା ସୃଷ୍ଟି ଅଭିଯୋଗ ଲଗାଇ ବେଲାରୁଷ୍‌ ତାଙ୍କୁ ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ରଖିଥିଲା ବୋଲି ଜଣାପଡ଼ିଛି।

Share