ୟୁକ୍ରେନ ସୀମାରେ ବେଲାରୁଷ ସୈନ୍ୟ

କିଭ୍‌,୧୧ା୧୦: ରୁଷିଆ ସହଯୋଗୀ ରାଷ୍ଟ୍ର ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଲୁକାଶେଙ୍କୋ ସୋମବାର ନିଜ ସୈନ୍ୟଙ୍କୁ ୟୁକ୍ରେନ୍‌ ସୀମା ନିକଟରେ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିଭ୍‌ ଏବଂ ଏହାର ସହଯୋଗୀ ତଥା ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ବେଲାରୁଷ ପାଇଁ ବିପଦ ବଢ଼ୁଥିବାରୁ ୟୁକ୍ରେନ୍‌ ସୀମା ନିକଟରେ ସୈନ୍ୟ ମୁତୟନ ନିଷ୍ପତ୍ତି ନିଆଯାଇଥିବା ଲୁକାଶେଙ୍କୋ କହିଛନ୍ତି। ବେଲାରୁଷ ସୀମାରେ ଆକ୍ରମଣ ପାଇଁ ୟୁକ୍ରେନ୍‌ ଯୋଜନା କରୁଛି। କିଭ୍‌ ମିନ୍‌ସ୍କକୁ ଯୁଦ୍ଧ ଭିତରକୁ ଟାଣୁ ବୋଲି ତଥାକଥିକ ୟୁକ୍ରେନ୍‌ ରକ୍ଷକ ଚାହୁଁଛନ୍ତି। ଆମେ ଦଶନ୍ଧି ଧରି ଏଥିପାଇଁ ପ୍ରସ୍ତୁତି କରିଛୁ। ଆବଶ୍ୟକ ପଡ଼ିଲେ ବେଲାରୁଷ ମଧ୍ୟ ଜବାବ ଦେବ ବୋଲି ଲୁକାଶେଙ୍କୋ କହିଛନ୍ତି। ବେଲାରୁଷ ସୈନ୍ୟ ରୁଷିଆ ସଶସ୍ତ୍ର ବଳ ସହ ମିଶି ଉତ୍ତର ୟୁକ୍ରେନ୍‌ରେ ସାମରିକ କାର୍ଯ୍ୟକଳାପ କରିବା ଦ୍ୱାରା ଉତ୍ତେଜନା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି।

ବର୍ବର ଆକ୍ରମଣ କରି ରୁଷିଆ ୟୁକ୍ରେନ୍‌କୁ ପୃଥିବୀ ମାନଚିତ୍ରରୁ ହଟାଇବାକୁ ଉଦ୍ୟମ କରୁଛି। ୟୁକ୍ରେନ୍‌ ସାରା ରେଡ୍‌ ସାଇରନ୍‌ ବାଜୁଛି। ହେଲେ ଦୁର୍ଭାଗ୍ୟବଶତଃ ଲୋକେ ମୃତାହତ ହେଉଛନ୍ତି। ଜାପୋରିଝିଆରେ ଘରେ ଶୋଇଥିବା ଲୋକଙ୍କୁ ସେମାନେ ହତ୍ୟା କରୁଛନ୍ତି। ନିପ୍ରୋ ଏବଂ କିଭ୍‌ରେ ନିଜ କାମରେ ବାହାରିଥିବା ସାଧାରଣ ଲୋକଙ୍କ ଜୀବନ ମଧ୍ୟ ନେଉଛନ୍ତି।
-ଭୋଲୋଡିମିର ଜେଲେନ୍‌ସ୍କି, ୟୁକ୍ରେନ୍‌ ରାଷ୍ଟ୍ରପତି

ୟୁକ୍ରେନ୍‌ର ଆକ୍ରମଣକୁ ଅଣଦେଖା କରିବା ସମ୍ଭବ ନୁହେଁ। ଏଣିକି ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର ଭୟଙ୍କର ଜବାବ ଦିଆଯିବ। ଏହା ଉପରେ କାହାକୁ ସନ୍ଦେହ କରିବାକୁ ଦିଆଯିବନାହିଁ।
-ଭ୍ଲାଡିମିର ପୁଟିନ୍‌, ରୁଷିଆ ରାଷ୍ଟ୍ରପତି

ୟୁକ୍ରେନ୍‌ର ଭିତ୍ତିଭୂମି ଓ ଜନସାଧାରଣଙ୍କ ଉପରେ ବର୍ବର ଆକ୍ରମଣ ନିନ୍ଦନୀୟ। ଯେତେ ସମୟ ଲାଗିଲେ ବି ରୁଷିଆର ଆକ୍ରମଣ ବିରୋଧରେ ଲଢ଼ିବା ପାଇଁ ସାହସୀ ୟୁକ୍ରେନ୍‌ବାସୀଙ୍କୁ ନାଟୋ ଏହାର ସମର୍ଥନ ଜାରି ରଖିବ।
-ଜେନ୍ସ ଷ୍ଟୋଲେନ୍‌ବର୍ଗ, ନାଟୋ ମୁଖ୍ୟ

Share