Categories: ଖେଳ

ତାଲିକାରେ ବେନ୍‌ ଷ୍ଟୋକ୍ସ, କାମେରନ ଗ୍ରୀନ୍‌

ନୂଆଦିଲ୍ଲୀ,୧୪।୧୨ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମିନି ନିଲାମ ଡିସେମ୍ବର ୨୩ରେ କୋଚିଠାରେ ହେବ। ଏଥିରେ ୮୭ ସ୍ଥାନ ପାଇଁ ୪୦୫ ଖେଳାଳି ନିଲାମରେ ଅବତୀର୍ଣ୍ଣ ହେବେ। ଏଥିରେ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଷ୍ଟୋକ୍ସ ଏବଂ ଉଦୀୟମାନ ଅଷ୍ଟ୍ରେଲୀୟ ସେନ୍‌ସେସନ କାମେରନ ଗ୍ରୀନ୍‌ଙ୍କ ବେସ୍‌ ପ୍ରାଇସ୍‌ ସର୍ବାଧିକ ୨ କୋଟି ଟଙ୍କା ଲେଖାଏଁ ରଖାଯାଇଥିବା ବେଳେ ଇଂଲଣ୍ଡର ପୂର୍ବତନ ଟେଷ୍ଟ ଅଧିନାୟକ ଜୋ ରୁଟ୍‌ଙ୍କ ବେସ୍‌ ପ୍ରାଇସ୍‌ ୧ କୋଟି ଟଙ୍କା ରହିଛି। ୪୦୫ ଖେଳାଳିଙ୍କ ମଧ୍ୟରୁ ଭାରତୀୟଙ୍କ ସଂଖ୍ୟା ୨୭୩ ରହିଛି। ୧୩୨ ବିଦେଶୀ ଖେଳାଳିଙ୍କ ମଧ୍ୟରେ ସହଯୋଗୀ ରାଷ୍ଟ୍ରର ୪ ଖେଳାଳି ସାମିଲ ଥିବା ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି। ଖେଳାଳି କ୍ରୟ ଲାଗି କୋଲକାତା ନାଇଟ ରାଇଡର୍ସ ପାଖରେ ସବୁଠାରୁ କମ୍‌ ୭.୨ କୋଟି ଟଙ୍କା ଉପଲବ୍ଧ ଅଛି। ଗତଥର ଖରାପ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବାଦ ଦଳରେ ୧୩ ସ୍ଥାନ ଉପଲବ୍ଧ। ଦଳ ପାଖରେ ଖେଳାଳି କ୍ରୟ ପାଇଁ ୪୨.୨୫ କୋଟି ଟଙ୍କା ରହିଛି। ଗତ ସଂସ୍କରଣରେ ଅସ୍ଥିର ପ୍ରଦର୍ଶନ କରିଥିବା ଅନ୍ୟ ଏକ ଦଳ ପଞ୍ଜାବ କିଙ୍ଗ୍ସ ୩୨.୨୦ କୋଟି ଟଙ୍କା ସହ ମିନି ନିଲାମକୁ ଓହ୍ଲାଇବ। ଚେନ୍ନାଇ ସୁପର କିଙ୍ଗ୍ସ (୨୦.୪୫ କୋଟି ଟଙ୍କା) ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (୨୩.୩୫ କୋଟି) ମୁମ୍ବାଇ ଇଣ୍ଡିଆନ୍ସ (୨୦.୫୫ କୋଟି ଟଙ୍କା), ଦିଲ୍ଲୀ କ୍ୟାପିଟାଲ୍ସ (୧୯.୪୫ କୋଟି ଟଙ୍କା) ଏବଂ ଗତଥରର ଚାମ୍ପିୟନ ଗୁଜରାଟ ଟାଇଟନ୍ସ (୧୯.୨୫ କୋଟି) ଆଦି ସେମାନଙ୍କ ପସନ୍ଦ ଖେଳାଳିଙ୍କୁ କ୍ରୟ କରିବା ଲାଗି ଉଦ୍ୟମ କରିବେ। ନିଲାମରେ ବିସ୍ପୋରକ ବ୍ୟାଟିଂ କରିପାରୁଥିବା ପେସ୍‌ ବୋଲିଂ ଅଲରାଉଣ୍ଡରଙ୍କ ଚାହିଦା ସବୁଠାରୁ ଅଧିକ ରହିବ। ଏହି ଖେଳାଳିଙ୍କୁ ନେବାଲାଗି ୨ରୁ ୩ ଫ୍ରାଞ୍ଚାଇଜ୍‌ ମଧ୍ୟରେ ତୀବ୍ର ପ୍ରତିଯୋଗିତାହେବ। ସେମାନେ ୧୫ରୁ ୧୭କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି ବୋଲି ଆଶା କରାଯାଉଛି। ଭାରତର ଅଧିକାଂଶ ଟପ୍‌ ଖେଳାଳି କୌଣସି ନା କୌଣସି ଦଳରେ ଅଛନ୍ତି। ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ଖେଳାଳିଙ୍କ ମଧ୍ୟରେ ମୟଙ୍କ ଅଗ୍ରଓ୍ବାଲ ଓ ମନୀଷ ପାଣ୍ଡେଙ୍କ ବେସ୍‌ ପ୍ରାଇସ୍‌ ୧ କୋଟି ଟଙ୍କା ରଖାଯାଇଛି। କିନ୍ତୁ ଭେଟେରାନ ଈଶାନ୍ତ ଶର୍ମା ଓ ଅଜିଙ୍କ୍ୟ ରାହାନେଙ୍କ ବେସ୍‌ ପ୍ରାଇସ୍‌ ୫୦ ଲକ୍ଷ ଟଙ୍କା ରଖାଯାଇଛି। ଗୋଟିଏ କିମ୍ବା ଦୁଇଟି ଟିମ୍‌ ସେମାନଙ୍କ ପ୍ରତି ଆଗ୍ରହ ଦେଖାଇପାରନ୍ତି। ଦକ୍ଷିଣ ଆଫ୍ରିକା ବ୍ୟାଟର ରିଲି ରୋସୋ ଭାରତୀୟ ଟ୍ରାକ୍‌ରେ ବେଶ୍‌ ଉପଯୋଗୀ। ତାଙ୍କୁ ଦଳରେ ନେବାପାଇଁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ମଧ୍ୟରେ ଜୋର୍‌ଦାର ପ୍ରତିଯୋଗିତା ହୋଇପାରେ। ଇଂଲଣ୍ଡର ଉଦୀୟମାନ ଖେଳାଳି ହ୍ୟାରି ବ୍ରୁକ୍‌ଙ୍କ ବେସ୍‌ ପ୍ରାଇସ୍‌ ୧.୫ କୋଟି ଟଙ୍କା ରହିଛି।

Share