Categories: ଖେଳ

ଆଇପିଏଲ୍‌ ୨୦୨୩ରେ ଏହି ୩ ଖେଳାଳିଙ୍କୁ ମିଳିପାରେ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୧୨: ଡିସେମ୍ବର ୨୩ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୩ ପାଇଁ ନିଲାମ ଅନୁଷ୍ଠିତ ହେବ। କୋଚିରେ ହେବାକୁ ଥିବା ଏହି ନିଲାମ ସମୟରେ ଅନେକ ଖେଳାଳିଙ୍କ ଉପରେ ଫ୍ରାଞ୍ଚାଇଜର ନଜର ରହିବ। କିଛି ଦଳ ମଧ୍ୟ ଆଇପିଏଲ୍‌ ପାଇଁ ନୂତନ ଅଧିନାୟକ ଖୋଜିବେ।

ଆଇପିଏଲ୍‌ର ୧୬ ତମ ସଂସ୍କରଣ ପାଇଁ ୪୦୩ ଖେଳାଳିଙ୍କୁ ସର୍ଟଲିଷ୍ଟ କରାଯାଇଛି। ଏହି ଖେଳାଳିଙ୍କ ମଧ୍ୟରୁ କେତେକ ସେମାନଙ୍କ ଜାତୀୟ ଦଳର ଅଧିନାୟକ ଅଟନ୍ତି। ତେଣୁ ସେମାନଙ୍କୁ ଆଇପିଏଲ୍‌ରେ ମଧ୍ୟ ଅଧିନାୟକତ୍ୱ ମିଳିପାରେ ବୋଲି କୁହାଯାଉଛି। ଏହି ତାଲିକାରେ ବେନ ଷ୍ଟୋକ୍ସ, କେନ ୱିଲିୟମସନ ଏବଂ ଜାସନ ହୋଲ୍ଡର୍‌ ପ୍ରମୁଖ ଖେଳାଳି ଅଛନ୍ତି।

ବେନ ଷ୍ଟୋକ୍ସ (ବେସ ମୂଲ୍ୟ – ୨ କୋଟି ଟଙ୍କା):
ବେନ ଷ୍ଟୋକ୍ସ ଆଇପିଏଲ୍‌ର ଗତ ସିଜନର ଅଂଶ ନ ଥିଲେ। କିନ୍ତୁ ଏଥର ସେ ଉପଲବ୍ଧ ରହିବେ। ଆଇପିଏଲ୍‌ ୨୦୨୩ ନିଲାମରେ ଷ୍ଟୋକ୍ସକୁ ମୂଳ ମୂଲ୍ୟ ୨ କୋଟି ଟଙ୍କା ରଖାଯାଇଛି । ହେଲେ ସେ ଏହାଠାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇପାରନ୍ତି। ଜୋ ରୁଟ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ଇଂଲଣ୍ଡର ଟେଷ୍ଟ ଅଧିନାୟକ କରାଯାଇଥିଲା। ଷ୍ଟୋକ୍ସଙ୍କ ଅଧିନାୟକତ୍ୱରେ ଦଳ ମଧ୍ୟ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲା। ଯଦି ଆମେ ଏଥର ଦଳଗୁଡିକୁ ଦେଖିବା, ତେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗ୍ସ ଜଣେ ଅଧିନାୟକ ଖୋଜିବେ। ତେଣୁ ଏହି ଦଳମାନେ ଷ୍ଟୋକ୍ସକୁ ବାଛି ପାରନ୍ତି ବୋଲି ଅନୁମାନ କରାଯାଉଛି।

କେନ ୱିଲିୟମ୍ସନ (ବେସ ମୂଲ୍ୟ ୨ କୋଟି ଟଙ୍କା):
ନ୍ୟୁଜିଲ୍ୟାଣ୍ଡର ଭେଟେରାନ ଖେଳାଳି କେନ ୱିଲିୟମସନଙ୍କ ପାଇଁ ଏହି ବର୍ଷ ସେତେଟା ସହଜ ନ ଥିଲା। ଆଇପିଏଲ୍‌ର ଗତ ସିଜନରେ ସେ କିଛି ବିଶେଷ କରିପାରି ନ ଥିଲେ। ନଭେମ୍ବରରେ ତାଙ୍କୁ ହାଇଦ୍ରାବାଦ ମୁକ୍ତ କରିଛି। କିନ୍ତୁ ସେ ତାଙ୍କ ଜାତୀୟ ଦଳ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ନ୍ୟୁଜିଲ୍ୟାଣ୍ଡ ଏଥର ଟି -୨୦ ବିଶ୍ୱକପରେ ସେମିଫାଇନାଲରେ ପ୍ରବେଶ କରିଛି। ତେଣୁ ଚେନ୍ନାଇ ପରି ଏକ ଦଳ ତାଙ୍କ ଉପରେ ବାଜି ଲଗାଇ ପାରିବେ। ଦଳ ଏମ୍‌ଏସ୍‌ ଧୋନିଙ୍କ ବିକଳ୍ପ ଭାବରେ ତାଙ୍କୁ ବାଛିପାରେ।

ଜେସନ ହୋଲ୍ଡର (ବେସ ମୂଲ୍ୟ ୨ କୋଟି ଟଙ୍କା):
ୱେଷ୍ଟଇଣ୍ଡିଜର ପ୍ରତିଭାଶାଳୀ ଖେଳାଳି ଜାସନ ହୋଲ୍ଡର୍‌ ଅନେକ ଥର ତାଙ୍କ ଦଳ ପାଇଁ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ବ୍ୟାଟିଂ ସହିତ ସେ ବୋଲିଂରେ ମଧ୍ୟ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି। ତାଙ୍କୁ ୨୦୧୫ ମସିହାରେ ୱେଷ୍ଟଇଣ୍ଡିଜ ଦଳର ଦିନିକିଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ଆଇପିଏଲ୍‌ ୨୦୨୨ରେ ୮.୭୫ କୋଟିରେ କିଣିଥିଲା। କିନ୍ତୁ ସେ ଆଶାନୂରୁପ ଖେଳିପାରି ନ ଥିଲେ। ହେଲେ ଏଥର ତାଙ୍କୁ ଅଧିନାୟକ ଭାବରେ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।

Share