ନିଯୁକ୍ତି ପାଇଁ ରାସ୍ତାରେ ଆଣ୍ଠେଇ କାନ ଧରିଲେ

ଭୁବନେଶ୍ୱର,୭।୮(ବ୍ୟୁରୋ): ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ(ଓଏସ୍‌ଏସ୍‌ଟିଇଟି) ପରୀକ୍ଷାରେ ପାସ୍‌ କରିଥିବା ପ୍ରଶିକ୍ଷିତ ଯୁବତୀ ଯୁବକ ଏବେ ନିର୍ଣ୍ଣାୟକ ଆନ୍ଦୋଳନ ଚଳାଇଛନ୍ତି। ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ସେମାନେ ଲୋୟର ପିଏମ୍‌ଜିସ୍ଥିତ ଆନ୍ଦୋଳନସ୍ଥଳରେ ଗୁରୁବାରଠାରୁ ଆଣ୍ଠେଇ ପ୍ରତିବାଦ ଆରମ୍ଭ କରିଛନ୍ତି। ଶୁକ୍ରବାର ସେମାନେ ରାସ୍ତାକୁ ଆସି ଆଣ୍ଠେଇବା ସହ କାନଧରି ଅଭିନବ ଭାବେ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସେମାନଙ୍କ କହିବା କଥା, ଦୀର୍ଘ ୭ବର୍ଷ ହେଲା ବିଭିନ୍ନ ସମୟରେ ଧାରଣା ଦେଇ ଦାବି ଜଣାଉଥିଲେ ମଧ୍ୟ ନିଯୁକ୍ତି ମିଳୁନାହିଁ। ଦୀର୍ଘ ଦିନର ଅପେକ୍ଷା ପରେ ୪,୪୪୫ ହିନ୍ଦୀ, ସଂସ୍କୃତ ଏବଂ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ଅର୍ଥ ମଞ୍ଜୁର ଓ ୪ମାସ ମଧ୍ୟରେ ଶିକ୍ଷକ ନିଯୁକ୍ତି ନେଇ ସରକାର ସୂଚନା ଦେଇଥିଲେ। ଇତିମଧ୍ୟରେ ୭ ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଶିକ୍ଷକ ନିଯୁକ୍ତ ପାଇଁ ତୁରନ୍ତ ବିଜ୍ଞାପନ ବାହାର କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

Share