ଚାଉଳକୁ ନେଇ ଦ୍ୱନ୍ଦ୍ୱରେ ହିତାଧିକାରୀ

ଢେଙ୍କାନାଳ ଅଫିସ୍‌, ୧୭।୪: ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ମିଳୁଥିବା ଚାଉଳକୁ ନେଇ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ହିତାଧିକାରୀଙ୍କୁ ଯୋଗାଣ ହେଉଥିବା ଚାଉଳରେ ଧଳା ଧଳା ଦାନା ମିଶିଛି। ତେଣୁ ଅନେକେ ଭୟରେ ଏହାକୁ ଫିଙ୍ଗି ଦେଉଛନ୍ତି। ସଦର ଥାନା ତରଭା ପଞ୍ଚାୟତ ନୂଆଗଁା ଗୋଡ଼ିସାହିରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଅନ୍ୟପଟେ ଉକ୍ତ ଚାଉଳ ଭିଟାମିନ୍‌ଯୁକ୍ତ ଏବଂ ଶରୀର ପାଇଁ କ୍ଷତିକାରକ ନୁହେଁ ବୋଲି ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅଭିଯୋଗ ଅନୁଯାୟୀ, ଡିଲର ଏବଂ ଏସ୍‌ଏଚ୍‌ଜି ମାଧ୍ୟମରେ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ପିଡିଏସ୍‌ ଚାଉଳ ବଣ୍ଟନ କରାଯାଉଛି। ତେବେ ଢେଙ୍କାନାଳ ଜିଲାର କେତେକ ସ୍ଥାନରେ ହିତାଧିକାରୀ ମିଳିଥିବା ଚାଉଳରେ ଚାଉଳ ଭଳି ଧଳା ଧଳା ଦାନା ମିଶିଥିବା ଦେଖିବାକୁ ମିଳିଛି। ଏହା ପ୍ଲାଷ୍ଟିକ୍‌ ଚାଉଳ ବୋଲି ଗୁଜବ ପ୍ରଚାରିତ ହେଉଛି। ଯୋଗାଣ ବିଭାଗ ପକ୍ଷରୁ ସଚେତନ କରାଯାଉ ନ ଥିବାରୁ ଚାଉଳ ବ୍ୟବହାର କରିବା ନେଇ ଲୋକମାନେ ଆଶଙ୍କାରେ ପଢୁଛନ୍ତି। ଏହାକୁ ବାହାର କରି ଫିଙ୍ଗି ଦେଉଥିବା ଗୋଡ଼ିସାହିର ଅଲେଖ ବରାଳ, ସଚ୍ଚି ପ୍ରଧାନ ପ୍ରମୁଖ ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ନୀରଦ ରଞ୍ଜନ ଦାସ କୁହନ୍ତି, ଉତ୍ତମ ସ୍ବାସ୍ଥ୍ୟ ଓ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ଆଇରନ, ଭିଟାମିନ୍‌ ବି-୧୨ ଓ ଫୋଲିକ୍‌ ଏସିଡ୍‌ ମିଶ୍ରଣରେ ପ୍ରସ୍ତୁତ ଭିଟାମିନଯୁକ୍ତ ଚାଉଳ ହିତାଧିକାରୀଙ୍କୁ ଯୋଗାଣ କରାଯାଉଛି। ଏହା କ୍ଷତିକାରକ ନୁହେଁ। ତେଣୁ କୌଣସି ପ୍ରକାର ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏହାକୁ ଖାଇହେବ ବୋଲି ସେ କହିଛନ୍ତି।

Share