ଦାରିଙ୍ଗବାଡି, ୫।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ୨୫ଟି ପଞ୍ଚାୟତରେ ବୁଧବାର ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କିତ ସଭା ଓ ଶୋଭାଯାତ୍ରା ବିଡ଼ିଓ ପ୍ରୀତିରଞ୍ଜନ ରଥ ଏବଂ ସିଡିପିଓ ସନ୍ଧ୍ୟା ରାଣୀ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ବ୍ଲକ ହେଡକ୍ୱାଟର ଦାରିଙ୍ଗବାଡି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଦାରିଙ୍ଗବାଡିର ବସଷ୍ଟାଣ୍ଡ ସମେତ ଚାରି ଛକ, ତିନିଛକ ଆଦି ଶୋଭାଯାତ୍ରାରେ ଯାଇ ସୁଭଦ୍ରା ଯୋଜନାର ଫାଇଦା ସମ୍ପର୍କରେ ଜନ ସଚେତନ କରାଯାଇଥିଲା।
ଏହି ଯୋଜନାରେ ମହିଳାମାନେ ରୋଜଗାରକ୍ଷମ ହେବା ସହ ସ୍ବାବଲମ୍ବୀ ହୋଇପାରିବେ କ୍ଷୁଦ୍ର ବ୍ୟବସାୟ, ଚାଷ ସମେତ କୁକୁଡ଼ା ପାଳନ, ଗେଣ୍ଡୁ ଫୁଲ ଚାଷ, ଉଦ୍ୟାନ କୃଷି ଆଦି କରି କିଭଳି ସ୍ବାବଲମ୍ବୀ ହେବେ ସେନେଇ ପରାମର୍ଶ ଦିଆଯାଇଥିଲା। ଶୋଭାଯାତ୍ରାରେ ଆସି ଦାରିଙ୍ଗବାଡି ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ପହଞ୍ଚି ସେଠାରେ ବୈଠକ କରାଯାଇ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ, ଓଡିଶା ଜୀବିକା ମିଶନର ବିପିଏମ ପିଣ୍ଟୁ ନାୟକ, ପିଇଓ ଦୁଃଶାସନ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମରେ ସମନ୍ବିତ ମହିଳା ଓ ଶିଶୁ ବିକାଶ ଯୋଜନାର ସୁପରଭାଇଜର, ଅଙ୍ଗନାୱାଡି କର୍ମୀ, ମିଶନଶକ୍ତି୍ର ମହିଳାମାନେ ଉପସ୍ଥିତ ରହିଥିଲେ। ସମସ୍ତ ହିତାଧିକାରୀ ଏହି ଯୋଜନାରେ କିଭଳି ସାମିଲ ହେବେ ଓ ଫାଇଦା ପାଇବେ ସେନେଇ ଆଲୋଚନା କରାଯାଇଥିଲା। ସେହିପରି ସମସ୍ତ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା କହିଛନ୍ତି।