ବୁଗୁଡ଼ା,୧୫ା୧୦(ଡି.ଏନ୍.ଏ.): ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ରାଶନ କାର୍ଡଧାରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆ ଯାଉଥିବା ବେଳେ କିଛି ସରକାରୀ ବାବୁଙ୍କ ବାଟମାରଣା ନୀତି ଯୋଗୁ ହିତାଧିକାରୀ ଯୋଜନାର ସୁଫଳ ପାଇ ପାରୁ ନ ଥିବା ଅଭିଯୋଗ ହେଉଛି।
ବୁଗୁଡ଼ା ଏନ୍ଏସିରେ ରାଶନ କାର୍ଡ ପିଛା ଦୁଇକିଲୋ ଗହମ କାଟୁଥିବା ହିତାଧିକାରୀ ଅଭିଯୋଗ କରିବା ନେଇ ଖବର ପ୍ରକାଶ ପାଇଥିଲା। ତେବେ ଏ ନେଇ ଯୋଗାଣ ନିରୀକ୍ଷକ କହିଛନ୍ତି, ଗହମ କମ୍ ଆସିଥିବାରୁ ଦୁଇ କିଲୋ ଲେଖାଏ କମ୍ ଦେବାକୁ କୁହାଯାଇଥିଲା। ଷ୍ଟକ୍ ଆସିବା ପରେ ପୁଣି ଦିଆଯିବ। ଡିଲରମାନେ ହିତାଧିକାରୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ହିତାଧିକାରୀଙ୍କୁ ଡାକି ପୂର୍ବରୁ କଟା ଯାଇଥିବା ଗହମ ପୁଣି ଦୁଇ କିଲୋ ଲେଖାଏ ଦେଇ ସାରିଥିବା ସଫେଇ ଦେଇଛନ୍ତି। ଏ ସମ୍ପର୍କରେ କିଛି ୬ ନଂ. ଓ୍ବାର୍ଡର ହିତାଧିକାରୀ ଗଙ୍ଗାଧର ଗୌଡ଼, ଶମ୍ଭୁ ପାତ୍ର, ଲକ୍ଷ୍ମୀ ବିଷୋୟୀ, କାବେରୀ ବେହେରା ଓ ୪ ନଂ ଓ୍ବାର୍ଡର ବବି ସାହୁଙ୍କୁ ପଚାରିବାରୁ ସେମାନଙ୍କ କଟା ଯାଇଥିବା ଦୁଇ କିଲୋ ଗହମ ସେମାନଙ୍କୁ ଡକାଇ ଡିଲର ଦେଇଥିବା କହିଥିଲେ।