ବାସଗୃହ ଯୋଜନାରୁ ବଞ୍ଚିତ ହେଲେ ହିତାଧିକାରୀ

ଡେରାବିଶ, ୬।୯(ବେବର୍ତ୍ତା ଅଜୟ ଦାସ): ଗରିବ ହିତାଧିକାରୀଙ୍କୁ ବାସଗୃହ ଯୋଜନାରେ ସାମିଲ କରିବାକୁ ପ୍ରଶାସନ ପକ୍ଷରୁ ସର୍ଭେ କରାଯାଇଥିଲା। ସର୍ଭେ ରିପୋର୍ଟରେ ଚୟନ କରାଯାଇଥିବା ଜଣେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇ ପରେ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍‌ ପଡ଼ିଛି। ଫଳରେ ହିତାଧିକାରୀ ଭଙ୍ଗା ଚାଳ ଘରେ ଜୀବନ ବିତାଉଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅଞ୍ଚଳରେ। ବ୍ଲକ ଅଧୀନ କୁରୁଜଙ୍ଗା ପଞ୍ଚାୟତ ମନ୍ତ୍ରୀପଡା ଗ୍ରାମର ଅଜିଜା ଖାତୁନ୍‌। ସ୍ବାମୀ ସେକ ଜିଆ ଉଲ ହକ୍‌ ଜଣେ ଦିନ ମଜୁରିଆ। ଭଙ୍ଗା ଚାଳ ଘରେ ରହୁଥିବା ଏହି ପରିବାର ବାସଗୃହ ଯୋଜନାରେ ନିଜକୁ ସାମିଲ କରି ପକ୍କା ଘର ଖଣ୍ଡେ ପାଇବା ପାଇଁ ଆବେଦନ କରିଥିଲେ। ଶେଷରେ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ତାଙ୍କ ନାମ ସାମିଲ ହୋଇଥିଲା। ଏଥିପାଇଁ କାର୍ଯ୍ୟାଦେଶ ମଧ୍ୟ ପାଇଥିଲେ। ମାତ୍ର ପ୍ରଥମ କିସ୍ତି ପାଇବାରେ ବିଳମ୍ବ ହେବାରୁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ଅଜିଜା ଖାତୁନ୍‌ ପଚାରି ଥିଲେ। ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ତାଙ୍କ ନାମ ନ ଥିବା ଦେଖିବାକୁ ପାଇଥିଲେ। ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଶେଷରେ ନିରାଶ ହୋଇ ଭଙ୍ଗା ଚାଳ ଘରେ ନିଜ ପରିବାର ସହ ଭାଗ୍ୟକୁ ଆଦରି ପଡି ରହିଛନ୍ତି ା ଏହି ଭଙ୍ଗା ଦଦରା ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଉଛି। ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଏହି ଚାଳ ଘର କେତେବେଳେ ଯେ ମାଟିରେ ମିଶିଯିବ କହିହେବ ନାହିଁ। ଏ ସମ୍ପର୍କରେ ଜିଆ ଉଲ୍‌ କୁହନ୍ତି, ପ୍ରତ୍ୟେକ ଦିନ ମଜୁରି ଲାଗି ପରିବାରକୁ ପ୍ରତିପୋଷଣ କରିବା ନିଜ ପକ୍ଷରେ ସମ୍ଭବ ନୁହେଁ। ସେଥିରେ ଭଙ୍ଗା ଘରକୁ ମରାମତି କରିବା ମଧ୍ୟ ତାଙ୍କ ପକ୍ଷରେ ସମ୍ପୂର୍ଣ୍ଣ କଷ୍ଟକର ହୋଇପଡିଛି। ଟୋପାଏ ବର୍ଷା ହେଲେ ଘର ଭିତରେ ପାଣି ପଶିଯାଏ। ସାପ ଓ ବେଙ୍ଗ ପଶିବା ଭୟରେ ସାରା ପରିବାର ଭୟଭୀତ ଅବସ୍ଥାରେ ରହୁଛନ୍ତି। ତେବେ ଯୋଗ୍ୟ ହିତାଧିକାରୀ ତାଲିକାରୁ ତାଙ୍କ ନାମ ବାଦ୍‌ ପଡିବା ତାଙ୍କୁ ଚକିତ କରିଛି। ଏ ସମ୍ପର୍କରେ ବିଡିଓ ଦାଶରଥି ଜେନାଙ୍କୁ ପଚାରିବାରୁ ଜିଆଙ୍କର ଏକ କୋଠାଘର ଥିବା ତାଲିକାରେ ଭୁଲ୍‌ କ୍ରମେ ଦର୍ଶାଯାଇଛି। ଖୁବ୍‌ଶୀଘ୍ର ଜିଆଙ୍କ ନାମକୁ ତାଲିକାଭୁକ୍ତ କରାଯାଇ ତାଙ୍କୁ ପକ୍କା ଘର ମିଳିବାର ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ ଅଜିଜାଙ୍କୁ ମିଳିଥିବା କାର୍ଯ୍ୟାଦେଶ ନଂ. ଓଆର ୧୫୨୮ ୬୯୦୬୮/ ୧୯ା୬ା୨୦୨୩ ରହିଛି।