ଭିଟାମିନ୍, ଆଇରନ୍, ପୋଟାସିୟମ୍, କ୍ୟାଲ୍ସିୟମ୍ ପରି ଅନେକ ଗୁଣକାରୀ ତତ୍ତ୍ୱରେ ଭରା ଖଜରାକୁ ଖାଇଲେ ଶରୀରକୁ ଇନ୍ଷ୍ଟାଣ୍ଟ ଏନର୍ଜି ମିଳିଥାଏ। ଖରା, ବର୍ଷା ହେଉ ଅବା ଶୀତ ସବୁ ଋତୁରେ ଏହାକୁ ଆରାମରେ ଖାଇହୁଏ। ତେବେ ଖାଦ୍ୟ ଖାଇସାରିବା ପରେ ନ ଖାଇ ବରଂ ଖାଲିପେଟରେ ଏହାକୁ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆର୍ଥାରାଇଟିସ୍ ରୋଗୀ ବି ଏହାକୁ ଖାଇପାରିବେ। ଦାନ୍ତକୁ ଶକ୍ତ କରିବା, କୋଷ୍ଠକାଠିନ୍ୟ ଦୂର କରିବା, ହାଡକୁ ମଜଭୁତ୍ କରିବା ତଥା ବ୍ରେନ୍ ପାଓ୍ବାର୍ ବଢାଇବାରେ ଏହା ବେଶ୍ ଉପକାରୀ ହୋଇଥାଏ। ଶରୀରରେ ହିମୋଗ୍ଲୋବିନ୍ର ମାତ୍ରା କମ୍ ଥିଲେ ଖଜରା ଖାଇବା ଉତ୍ତମ। ତେବେ ଜଣେ ସୁସ୍ଥ ମଣିଷ ଦିନକୁ ଅତି କମ୍ରେ ଦୁଇଟି ଖଜରା ଖାଇବା ଆବଶ୍ୟକ। ପାଚନ କ୍ରିୟା ଯଦି ଠିକ୍ ଥାଏ, ତା’ହେଲେ ୪ରୁ ୫ଟି ଖଜରା ମଧ୍ୟ ଖିଆଯାଇପାରେ। ସେହିପରି ଛୋଟ ପିଲାଙ୍କ କ୍ଷେତ୍ରରେ ଦିନକୁ ଗୋଟିଏ ମାତ୍ର ଖଜରା ଖାଇବା ଜରୁରୀ। କାରଣ ଏହା ସେମାନଙ୍କର ଇମ୍ୟୁନିଟି ପାଓ୍ବାର ବଢାଇଥାଏ। କିନ୍ତୁ ଆବଶ୍ୟକତାଠାରୁ ଅଧିକ ଖଜରା ଖାଇବା ଦ୍ୱାରା ଶରୀରରେ ବ୍ଲଡ ସୁଗାର୍ ବଢିବା ସଙ୍ଗେସଙ୍ଗେ ସ୍କିନ୍ରେ ରାସେସ୍ ଆସେ, ଓଜନ ବଢେ, ପେଟ ମୋଡି ହେବା ସହ ଡାଇରିଆ ପରି ଗମ୍ଭୀର ସମସ୍ୟା ଆଦି ଦେଖାଯିବାର ସମ୍ଭାବନା ରହିଥାଏ।