ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲୀ ବାହାଘର

ଡାବୁଗାଁ, ୧୭।୮(ପ୍ରଜ୍ଞାରଞ୍ଜନ ପରିଡା): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଚଳିତ ବର୍ଷ ସ୍ବଳ୍ପ ବର୍ଷା ଯୋଗୁ ଚାଷ କାମ ଆଗେଇ ପାରୁନାହିଁ। ବିଶେଷକରି ଧାନଚାଷ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ସ୍ଥାନୀୟ ଚାଷୀମାନେ ଅନୁକୂଳ ପାଗ ଦେଖି ଧାନ ରୁଆ ଶେଷ କରିଥିବାବେଳେ ବର୍ଷା ଅଭାବ ଯୋଗୁ ମରୁଡ଼ି ଆଶଙ୍କା ଦେଖାଦେଇଛି। ସେହିପରି ଧାନ ଜମିଗୁଡ଼ିକରେ ପାଣି ନ ଥିବା ଯୋଗୁ ବିଲରେ ଚାଷୀ କୌଣସି ସାର ପ୍ରୟୋଗ ପାରୁନାହିଁ। ତେଣୁ ସ୍ଥାନୀୟ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି। ଏପରି ସମୟରେ ବର୍ଷାର ଆଗମନ ଲାଗି ଡାବୁଗାଁ ବ୍ଳକ ବଡ଼ଓଲମା ଗ୍ରାମରେ ବେଙ୍ଗବେଙ୍ଗୁଲୀ ବାହାଘର ୩ଦିନ ହେବ ଚାଲିଛି ।

ସ୍ଥାନୀୟ ସୁନାଦେଇ ଠାକୁରାଣୀ ମନ୍ଦିରରେ ଗ୍ରାମର ଶତାଧିକ ଲୋକେ ଏକାଠି ହୋଇଥିଲେ। ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାପାଠ କରିଥିଲେ। ପରେ ମଣ୍ଡଳ ଭୀମା ମନ୍ଦିରକୁ ଆସି ସେଠାରେ ଭୀମା ମୂର୍ତ୍ତିଙ୍କୁ ଗାଈ ଗୋବରରେ ପୋତିବା ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଇଥିଲା। ପରେ ଗ୍ରାମରେ ଥିବା ନଦୀରୁ ଗୋଟିଏ ବେଙ୍ଗ ଏବଂ ଗୋଟିଏ ବେଙ୍ଗୁଲୀ ଧରି ଏକ ନୂତନ ମାଟିହାଣ୍ଡିରେ ରଖାଯାଇଥିଲା। ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ବେଙ୍ଗ ଓ ବେଙ୍ଗୁଲୀକୁ ପୂଜାପାଠ କରାଯାଇଥିଲା। ବୁଧବାର ସକାଳୁ ସ୍ଥାନୀୟ ଲୋକେ ପୂଜା କରୁଛନ୍ତି। ଏହି ବେଙ୍ଗ ବେଙ୍ଗୁଲୀ ବାହାଘର ୩ ଦିନ ଧରି ଚାଲିବ। ୩ ଦିନ ପରେ ପୋଖରୀରେ ବିସର୍ଜନ କରାଯିବ ବୋଲି ଗାଉଁଟିଆ ସୂଚନା ଦେଇଛନ୍ତି। ଭତ୍ରା ସାହିରେ କନ୍ୟା ପକ୍ଷ ରହିଥିବାବେଳେ ଚଚରାସାହିକୁ ବର ପକ୍ଷ କରାଯାଇଛି। ବଡ଼ଓଲମା ଗ୍ରାମରେ ୩ବର୍ଷରେ ପରେ ବେଙ୍ଗ ବେଙ୍ଗୁଲୀ ବାହାଘର ହୋଇଥିବା ଜଣାପଡ଼ିଛି।

Share