Categories: ଜାତୀୟ

ନନ୍ଦିଗ୍ରାମ ବିଧାୟକଙ୍କ ବାପା, ଭାଇଙ୍କୁ ମିଳିବ ଓ୍ବାଇ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୨।୫: ପଶ୍ଚିମବଙ୍ଗର ସମସ୍ତ ୭୭ ନୂତନ ନିର୍ବାଚିତ ଭାଜପା ବିଧାୟକଙ୍କୁ କେନ୍ଦ୍ରୀୟ ସୁରକ୍ଷା ଯୋଗାଇ ଦେବାର କିଛି ଦିନ ପରେ ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବାପା ଏବଂ ଭାଇଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶନିବାର ନିଷ୍ପତ୍ତି ନିଆଯାଇଛି। ଶୁଭେନ୍ଦୁଙ୍କ ବାପା ଏମ୍‌ପି ଶିଶିର ଅଧିକାରୀ ଏବଂ ଭାଇ ଏମ୍‌ପି ଦିବ୍ୟେନ୍ଦୁ ଅଧିକାରୀଙ୍କୁ ‘ଓ୍ବାଇ ପ୍ଲସ ସୁରକ୍ଷା ମିଳିବ। ତାଙ୍କର ସୁରକ୍ଷା ନିମନ୍ତେ ‘ସିଆର୍‌ପିଏଫ’ କର୍ମଚାରୀମାନଙ୍କୁ ମୁତୟନ କରାଯିବ। ଭାଜପାରେ ଯୋଗ ଦେବା ଲାଗି ଶୁଭେନ୍ଦୁଙ୍କ ନିଷ୍ପତ୍ତି ପରେ ପୂର୍ବରୁ ତୃଣମୂଳ କଂଗ୍ରେସର ସଦସ୍ୟ ଥିବା ଅଧିକାରୀ ପରିବାର ମମତା ବାନାର୍ଜୀଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏମ୍‌ପି ଶିଶିର ଭାଜପାରେ ଯୋଗ ଦେଇଥିଲେ। ସେହିପରି ଦିବ୍ୟେନ୍ଦୁ ମଧ୍ୟ ଭାଜପାରେ ମିଶିଛନ୍ତି। ଅନ୍ୟପକ୍ଷେ ଭାଜପା ଶୁଭେନ୍ଦୁଙ୍କୁ ପଶ୍ଚିମବଙ୍ଗ ବିଧାନ ସଭାର ବିରୋଧୀ ଦଳ ନେତା ଭାବେ ମନୋନୀତ କରିଛି।

Share