Categories: ଜାତୀୟ

ମନ୍ତ୍ରୀ ପରେ ଟିଏମ୍‌ସିର ସମସ୍ତ ପଦରୁ ନିଲମ୍ବିତ ହେଲେ ପାର୍ଥ ଚାଟାର୍ଜୀ

କୋଲକାତା,୨୮।୭: ଶିକ୍ଷକ ନୁଯୁକ୍ତି ଦୁର୍ନୀତିରେ ପାର୍ଥ ଚାଟାର୍ଜୀଙ୍କ ନାମ ଆସିବା ପରେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବଡ଼ ଆକ୍ସନ ନେଇଛନ୍ତି। ଗୁରୁବାର ଦ୍ୱିପ୍ରହରରେ ମନ୍ତ୍ରୀ ପଦରୁ ହଟାଯିବା ପରେ ପାର୍ଥ ଚାଟାର୍ଜୀଙ୍କୁ ଟିଏମ୍‌ସିରୁ ମଧ୍ୟ ନିଲମ୍ବିତ କରାଯାଇଛି। ପାର୍ଥ ଚାଟାର୍ଜୀଙ୍କୁ ମହାସଚିବ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅନ୍ୟ ୩ଟି ପଦବୀରୁ ହଟାଇ ଦିଆଯାଇଛି। ଶିକ୍ଷକ ନୁଯୁକ୍ତି ଦୁର୍ନୀତି ତଦନ୍ତ ନ ସରିବା ଯାଏ ତାଙ୍କୁ ନିଲମ୍ବିତ କରାଯାଇଛି। ତେବେ ଦୋଷୀ ପ୍ରମାଣିତ ନ ହେଲେ ସେ ପୁଣି ଦଳକୁ ଫେରିଆସିପାରନ୍ତି ବୋଲି ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ ସୂଚନା ଦେଇଛନ୍ତି। ତେବେ ପାର୍ଥଙ୍କ ନାମରେ କୌଣସି ଏଫ୍‌ଆଇଆର ହୋଇ ନ ଥିବା ବେଳେ ଏବେ ତାଙ୍କୁ ସମସ୍ତ ପଦବୀରୁ ହଟାଇ ଦିଆଯାଇଛି। ଅନ୍ୟପଟେ ଅଭିଷେକ ବାନାର୍ଜୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ମାମଲାର ତଦନ୍ତ ଚାଲିଛି। ଯଦି କେହି କିଛି ଭୁଲ କରନ୍ତି ତେବେ ଟିଏମ୍‌ସି ତାଙ୍କୁ ରକ୍ଷା କରିବ ନାହିଁ। ଦୁର୍ନୀତି ଉପରେ ଜିରୋ ଟଲେରେନ୍ସ ନୀତି ଆପଣାଯାଇଛି ଦଳ। ତେବେ ଅନୁସନ୍ଧାନକାରୀ ସଂସ୍ଥାକୁ ସମୟ ସୀମା ମଧ୍ୟରେ ଯାଞ୍ଚ କରିବା ନିର୍ଦ୍ଦେଶ ଦିଆଯାଇଛି। ଏତଦ୍‌ ବ୍ୟତୀତ ଟିଏମ୍‌ସି ହେଉଛି ଏକମାତ୍ର ଦଳ ଯିଏ ୭ଦିନ ମଧ୍ୟରେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଛି ବୋଲି ଅଭିଷେକ କହିଛନ୍ତି।

Share