Categories: ଜାତୀୟ

ବିଧାନସଭାରେ ହଙ୍ଗାମା: ମାରପିଟ୍‌ ସହ ପୋଷାକ ଚିରିଲେ ବିଧାୟକ

କୋଲକତା,୨୮।୩: ପଶ୍ଚିମବଙ୍ଗ ବିଧାନସଭାର ବଜେଟ ଅଧିବେଶନର ଶେଷ ଦିନ ଗୃହରେ ଉତ୍ତେଜନା ପ୍ରକାଶ ପାଇଛି। ଭାଜପା ଏବଂ ଟିଏମସିର ବିଧାୟକଙ୍କ ମଧ୍ୟରେ ମାରପିଟ୍‌ ଲାଗିବା ସହ ପୋଷାକ ଚିରା ଭଳି ଘଟଣା ଘଟିଛି। ଭାଜପା ଅଭିଯୋଗ କରିଛି ଯେ, ବୀରଭୂମ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିବା ପରେ ଟିଏମସି ବିଧାୟକମାନେ ଝଗଡା ଆରମ୍ଭ କରିଦେଇଥିଲେ। ଏହି ସମୟରେ ଭାଜପା ବିଧାୟକ ମନୋଜ ଟିଗ୍ଗାଙ୍କୁ ଆକ୍ରମଣ କରାଯାଇଥିଲା। ଏହା ପରେ ଭାଜପା ବିଧାୟକମାନେ ଗୃହରୁ ବାହାରକୁ ଯାଇଥିଲେ। କୁହାଯାଉଛି ଯେ, ଟିଏମସି ବିଧାୟକ ଅସିତ ମଜୁମଦାରଏହି ଝଗଡା ବେବେଳେ ଆହତ ହୋଇଛନ୍ତି। ତାଙ୍କୁ ଏସଏସକେମକୁ ନିଆଯାଇଛି। ଏହି ଘଟଣା ପରେ ଶୁଭେନ୍ଦୁ ଅଧିକାରୀ, ମନୋଜ ଟିଗ୍ଗା, ଶଙ୍କର ଘୋଷ, ଦୀପକ ବାରମାନ ଏବଂ ନରହରି ମହାଟୋଙ୍କ ସମେତ ପାଞ୍ଚ ଜଣ ଭାଜପା ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଭାଜପା ବିଧାୟକମାନେ ବିଧାନସଭା ବାହାରେ ବିରୋଧ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ବେଳେ ସୁରକ୍ଷା କର୍ମୀମାନେ ତାଙ୍କୁ ଆକ୍ରମଣ କରି ଠେଲି ଦେଇଥିବା ସେ ଦାବି କରିଛନ୍ତି।

ଏହି ଘଟଣାର ଏକ ଭିଡିଓକୁ ଭାଜପାର ଆଇଟି ସେଲ ମୁଖ୍ୟ ଅମିତ ମାଲଭିଆ ଟୁଇଟ୍‌ କରିଛନ୍ତି। ଏଥିରେ ଭାଜପା ଏବଂ ଟିଏମସି ବିଧାୟକମାନେ ପରସ୍ପର ସହ ଝଗଡା କରୁଥିବା ଦେଖାଯାଉଛି। ଏହି ଟୁଇଟ ମାଧ୍ୟମରେ ମାଲଭିଆ ଲେଖିଛନ୍ତି, ‘ପଶ୍ଚିମବଙ୍ଗ ବିଧାନସଭାରେ ହଙ୍ଗାମା। ବୀରଭୂମ ହତ୍ୟାକାଣ୍ଡ ଉପରେ ଭାଜପା ଆଲୋଚନା କରିବାକୁ ଦାବି କରୁଥିବାବେଳେ ଟିଏମସି ବିଧାୟକମାନେ ମନୋଜ ଟିଗ୍ଗାଙ୍କ ସମେତ ଭାଜପା ବିଧାୟକଙ୍କ ଉପରେ ଆକ୍ରମଣ କରିଛନ୍ତି।

Share