ଫେସବୁକ୍‌ରେ ପୋଷ୍ଟ ଲେଖି ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କୋଲକାତା: ଫିଲ୍ମଜଗତରୁ ଆତ୍ମହତ୍ୟା କରିବା ଖବର ଥମିବାର ନା ନେଉ ନାହିଁ। ଏବେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ ରାୟ ଦେବୋଲିନା ଦେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ହେଲେ ସୌଭାଗ୍ୟବଶତଃ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶୁକ୍ରବାର ଅଭିନେତ୍ରୀ ଫେସବୁକ୍‌ରେ ଆତ୍ମହତ୍ୟା କରିବାକୁ ଯାଉଥିବା ନେଇ ଏକ ପୋଷ୍ଟ ଶେୟାର କରି ଜଣାଇଥିଲେ। ନିଜ ପରିବାର ଲୋକଙ୍କୁ ସେ ସିଧାସିଧା ଦାୟୀ କରି ଆତ୍ମହତ୍ୟା କରିବାକୁ ଯାଉଥିବା କହିଥିଲେ। ଏହା ଦେଖି ପରିବାରଲୋକେ ଦେବୋଲିନାଙ୍କୁ ଫୋନ କରିଥିଲେ। କିନ୍ତୁ ତାଙ୍କ ଫୋନ ଲାଗି ନ ଥିଲା। ପରେ ଏନେଇ ଜାବଦପୁର ଥାନାକୁ ଜଣାଯାଇଥିଲା।

ଏହାପରେ ପୋଲିସ ତୁରନ୍ତ ନୟାବାଦ ଅଞ୍ଚଳରେ ଥିବା ହାଉସିଂ କମ୍ପ୍ଲେକ୍ସରେ ପହଞ୍ଚିଥିଲା। ଏଠାରେ ଅଭିନେତ୍ରୀ ରହୁଥିବା ଘର କବାଟ ପୋଲିସ ବାଡେଇଥିଲା। କିନ୍ତୁ କେହି ନ ଖୋଲିବାରୁ ବାଧ୍ୟ ହୋଇ କବାଟ ଭାଙ୍ଗି ପୋଲିସ ଭିତରେ ପଶିଥିଲା। ଘର ଭିତରୁ ଦେବୋଲିନାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାରା ରାତି ଚିକିତ୍ସା ପରେ ଶନିବାର ତାଙ୍କ ଚେତା ଫେରିଥିବା ସୂଚନା ମିଳିଛି। ତେବେ ଅଭନେତ୍ରୀ କିଛି ନିଦ ବଟିକା ଖାଇ ଦେଇଥିଲେ। ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅଭିନେତ୍ରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଉଛି।

Share