Categories: ଜାତୀୟ

ରୋଲେକ୍ସ ଘଣ୍ଟା ପାଇଁ ଅଟକିଲା ବିମାନବନ୍ଦରର ଚେକିଂ

ନୂଆଦିଲ୍ଲୀ,୩୦।୧୨: ବେଙ୍ଗାଲୁରୁର କେମ୍‌ପେଗୌଡ଼ା ବିମାନ ବନ୍ଦରରେ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାରେ ବାଧକ ସାଜିଥିଲେ ଜଣେ ଯାତ୍ରୀ। ବାଧ୍ୟତାମୂଳକ ସୁରକ୍ଷା ଯାଞ୍ଚ ବେଳେ ଉକ୍ତ ଯାତ୍ରୀ ୪୦ ଲକ୍ଷ ଟଙ୍କାର ରୋଲେକ୍ସ ଘଣ୍ଟାକୁ ଟ୍ରେରେ ରଖିବାକୁ ମନା କରି ଦେଇଥିଲେ। ଏଥି ଯୋଗୁ କିଛି ସମୟ ପାଇଁ ଅଟକ ରଖାଯିବା ପରେ ସେ ଯାଞ୍ଚ ପ୍ରକ୍ରିୟା ଶେଷ କରିଥିଲେ ବୋଲି ଜଣେ ବରିଷ୍ଠ ସିଆଇଏସ୍‌ଏଫ୍‌ ଅଧିକାରୀ କହିଛନ୍ତି। କାର୍ଯ୍ୟରତ ସିଆଇଏସ୍‌ଏଫ୍‌ (କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ) ଅଧିକାରୀଙ୍କ ନିଷ୍ଠାକୁ ଯାତ୍ରୀମାନେ ତାଳି ମାରି ପ୍ରଶଂସା କରିଥିଲେ।

ଅଧିକାରୀଙ୍କ କହିବା ମୁତାବକ, ଗତ ମଙ୍ଗଳବାର ଉକ୍ତ ବ୍ୟକ୍ତି ଦିଲ୍ଲୀକୁ ଫ୍ଲାଇଟ୍‌ ନେବା ପାଇଁ ବାଧ୍ୟତାମୂଳକ ସିକ୍ୟୁରିଟି ସ୍କ୍ରିନିଂ ଲାଗି ବିମାନ ବନ୍ଦରରେ ଧାଡ଼ିରେ ଛିଡ଼ା ହୋଇଥିଲେ। ଯାଞ୍ଚ ନିମନ୍ତେ ତାଙ୍କୁ ଘଣ୍ଟା ସମେତ ସମସ୍ତ ମେଟାଲକୁ ଟ୍ରେରେ ରଖିବାକୁ ଅନୁରୋଧ କରିଥିଲେ ଅଧିକାରୀ। କିନ୍ତୁ ତାଙ୍କ ୪୦ ଲକ୍ଷ ଟଙ୍କାର ଘଣ୍ଟା ଚେକିଂ ପ୍ରକ୍ରିୟା ବେଳେ ଚୋରି ହୋଇପାରେ କହି ପ୍ରୋଟୋକଲ ମାନିବାକୁ ମନା କରି ଦେଇଥିଲେ। ତାଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ସିଆଇଏସ୍‌ଏଫ୍‌ ଅଧିକାରୀ। ଯାଞ୍ଚ ପ୍ରକ୍ରିୟାରେ ବିଳମ୍ବ ହେବା କାରଣରୁ ତାଙ୍କୁ ଧାଡ଼ିରୁ ବାହାର କରି ଦିଆଯାଇଥିଲା। ସୁରକ୍ଷା ପ୍ରୋଟୋକଲ ଅବମାନାନ କଲେ ତାଙ୍କୁ ବୋର୍ଡିଂ ପାଇଁ ଅନୁମତି ମିଳିବ ନାହିଁ ବୋଲି ଅଧିକାରୀ କହିଥିଲେ। ଶେଷରେ ସେ ଯାଞ୍ଚ ପ୍ରକ୍ରିୟାରେ ସହଯୋଗ କରିବାକୁ ରାଜି ହୋଇଥିଲେ। ଏଣୁ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯାଇ ନାହିଁ।

Share