Categories: ଜାତୀୟ

ବାଣ ଫୁଟାନ୍ତୁ ନାହିଁ ବରଂ ବାଣ ଖାଆନ୍ତୁ!

ବେଙ୍ଗାଲୁରୁ,୧୨ ।୧୧: ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଅନ୍ୟପଟେ ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳୀ । ଭାରତରେ ଏହାର ଖୁବ୍ ଚାହିଦା ଥିବା ବେଳେ ଏଥର କିନ୍ତୁ ଏହା ଫିକା ପଡିଯିବ ବୋଲି ସମସ୍ତେ ଜାଣନ୍ତି । କାରଣ ଦୀପାବଳୀରେ ଅଧିକାଂଶ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ନିଷେଧାଜ୍ଞା ଜାରି କରିଛନ୍ତି । ବାଣ ଫୁଟିଲେ ଯେଉଁ ପ୍ରଦୂଷଣ ହେବ ତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ପ୍ରଥମେ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇଥିବାରୁ ବିଭିନ୍ନ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ଗୋଟିଏ ପଟେ ଶୀତଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ଏହି ସମୟରେ କରୋନା ସଂକ୍ରମଣର ପ୍ରଭାବ ଅଧିକ ରହିବ ବୋଲି ବିଶେଷଜ୍ଞମାନେ ପୂର୍ବରୁ ସତର୍କ କରାଇ ଦେଇଛନ୍ତି । ତେବେ ଦୀପାବଳିରେ ମନ ଉଣା ନ କରି ଏଥର ବାଣ ନ ଫୁଟାଇ ବାଣ ଖାଇବାକୁ କହିଛନ୍ତି କର୍ନାଟକ ବେଙ୍ଗାଲୁରୁର ଜଣେ ଚକୋଲେଟ୍ ବ୍ୟବସାୟୀ । ଦୀପାବଳୀକୁ ନଜରରେ ରଖି ମହିଳା ଚକୋଲେଟ ବ୍ୟବସାୟୀ ଜଣକ ଚକୋଲେଟର ନାମ ବାଣର ନାମ ଭଳି ରଖିଛନ୍ତି ଓ ଏହାର ଆକାର ବି ବାଣ ଭଳି କରାଯାଇଛି । ଯେମିତିକି ରକେଟ୍ସ, ସୁତୁଳି ବମ୍‌, ଲକ୍ଷ୍ମୀ ପଟାଖା, ଫ୍ଲାୱାର୍ ପଟ୍ସ ବା ଫୁଲଦାନୀ ଇତ୍ୟାଦି । ତେବେ ଚକୋଲେଟ ଗୁଡିକ ବାଣ ଭଳି ଦେଖିବାକୁ ହୋଇଥିବାରୁ ଏହା ଛୋଟ ଛୋଟ ପିଲାମାନଙ୍କର ବେଶ ପସନ୍ଦ ଆସିବ ବୋଲି ସେ କହିଛନ୍ତି ।

Share