Categories: ଜାତୀୟ

ଶିଖ୍‌ ଛାତ୍ରୀଙ୍କୁ ପଗଡ଼ି ଖୋଲିବାକୁ କହିଲା ବେଙ୍ଗାଲୁରୁ କଲେଜ

ବେଙ୍ଗାଲୁରୁ,୨୪।୨: କର୍ନାଟକ ହାଇକୋର୍ଟଙ୍କ ଆନ୍ତରୀଣ ରାୟ ଯୋଗୁ ବେଙ୍ଗାଲୁରୁର ଏକ କଲେଜ ଶିଖ୍‌ ଛାତ୍ରୀଙ୍କୁ କ୍ଲାସରେ ପଗଡ଼ି ବ୍ୟବହାର କରିବାକୁ ମନା କରି ଦେଇଛନ୍ତି। ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କ୍ୟାମ୍ପସରେ ହିଜାବ ପ୍ରତିବନ୍ଧକ ବିରୋଧରେ ଦାୟର କରାଯାଇଥିବା ମାମଲାର ଶୁଣାଣି କରିଥିଲେ। ଗତ ୧୦ ତାରିଖରେ ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ପରିଧାନ ନ କରିବାକୁ ହାଇକୋର୍ଟ ରାୟ ଦେଇଥିଲେ। ଏଥିଯୋଗୁ ମାଉଣ୍ଟ କାର୍ମେଲ ପି ୟୁ କଲେଜ ୧୭ ବର୍ଷୀୟା ଛାତ୍ରୀଙ୍କୁ କ୍ଲାସବେଳେ ପଗଡ଼ି ନ ପନ୍ଧିବାକୁ କୁହାଯାଇଛି।

ଛାତ୍ରୀଙ୍କ ବାପା ଗୁରୁଚରନ ସିଂ କହିଛନ୍ତି, ଗତ ୧୬ ତାରିଖରେ ପ୍ରଥମ ଥର ପାଇଁ କଲେଜ ପ୍ରଶାସନ ମୋ ଝିଅକୁ କ୍ଲାସରେ ପଗଡ଼ି ଖୋଲି ବସିବାକୁ କହିଥିଲେ। କିନ୍ତୁ ସେ ଜଣେ ଅମ୍ରିତଧାରୀ ଶିଖ୍‌ ବୋଲି କହିଥିଲେ। ଏହା ଆମ ବିଶ୍ୱାସର ଗୁରୁତ୍ୱପୂର୍ଣ୍ଣ ଅଂଶ। ଆମେ କଦାପି ପଗଡ଼ି ବିନା ବାହାରକୁ ଯାଉ ନାହିଁ। ସେହିଦିନ ମୁଁ ଜଲେଜ ପ୍ରଶାସକଙ୍କୁ ଏକ ଇମେଲ ପଠାଇଥିଲି।

କଲେଜ ପକ୍ଷରୁ କୌଣସି ପ୍ରତିଉତ୍ତର ମିଳି ନ ଥିଲା। କିନ୍ତୁ ତାଙ୍କ ଝିଅକୁ କ୍ଲାସ ରୁମ୍‌ରେ ବସିବାକୁ ଅନୁମତି ମିଳିଥିଲା। ତେବେ ଏହି ଘଟଣା ବୁଧବାର ପୁଣି ଥରେ ସାମ୍ନାକୁ ଆସିଛି। କୋର୍ଟଙ୍କ ରାୟର ଠିକ୍‌ ଭାବେ ପ୍ରତ୍ୟେକ ସ୍କୁଲ ଓ କଲେଜରେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହାର ଯାଞ୍ଚ କରିବା ଲାଗି ଶିକ୍ଷା ବିଭାଗ ଅଧିକାରୀ କଲେଜ ଗସ୍ତ କରିଥିଲେ।

“ଗତକାଲି ମୋ ଝିଅ ମୋତେ ଫୋନ କରି କଲେଜ ଅଧିକାରୀ ମୋତେ ଦେଖା କରିବାକୁ ଚାହୁଁଥିବା କହିଥିଲେ। ମୁଁ ବ୍ୟସ୍ତ ଥିବାରୁ ଫୋନ ଜରିଆରେ କଥା ହେବାକୁ ପଚାରିଥିଲି। ସେମାନେ ଫୋନ କରି ହାଇକୋର୍ଟଙ୍କ ଅନ୍ତରୀଣ ରାୟ ସମ୍ପର୍କରେ ଜଣାଇଥିଲେ” ବୋଲି ଛାତ୍ରୀଙ୍କ ବାପା କହିଛନ୍ତି।

Share