ଭଡ଼ା ଘରୁ ୫ ଛାତ୍ରଙ୍କୁ ଉଠାଇନେଲା ବେଙ୍ଗାଲୁରୁ ନାର୍କୋଟିକ୍ସ ଟିମ୍‌

ଜୟପୁର,୧୫ା୧୧ (ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ସହର ପାରବେଡାର ଏକ ଭଡ଼ା ଘରୁ ବୁଧବାର ବେଙ୍ଗାଲୁରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ୍‌ ୫ ଜଣ ଛାତ୍ରଙ୍କୁ ଉଠାଇ ନେଇଛି। ସେମାନେ ହେଲେ ହିମାଂଶୁ ଶେଖର ନାୟକ, ରାଜା ମଣ୍ଡଳ, ଶିବ ଦତ୍ତ, କେ. ଅମର ନାଥ ଓ ସୋହମ। ସମସ୍ତଙ୍କ ବୟସ ୧୮ରୁ ୨୨ ବର୍ଷ ମଧ୍ୟରେ ହେବ। ଏହି ୫ଜଣ ଛାତ୍ରଙ୍କ ମଧ୍ୟରୁ ରାଜା ଏକ ଇଞ୍ଜିନିୟରିଂ କଲେଜର ଛାତ୍ର ହୋଇଥିବା ବେଳେ ଅନ୍ୟମାନେ ଏକ ବିଶ୍ୱବିଦ୍ୟାଳୟର ଛାତ୍ର ବୋଲି ଜଣାପଡ଼ିଛି।

ଗଞ୍ଜେଇ ଚୋରାଚାଲାଣ ମାମଲାରେ ସମ୍ପୃକ୍ତି ଥିବା ତଥ୍ୟ ପ୍ରମାଣ ହାସଲ ପରେ ଏମାନଙ୍କୁ ନାର୍କୋଟିକ୍ସ ଟିମ୍‌ର ୧୫ ଜଣିଆ ଟିମ୍‌ ଉଠାଇ ନେଇଛି। ଏହି ଟିମ୍‌ ନିକଟରେ ବେଙ୍ଗାଲୁରୁ ଗଞ୍ଜେଇ କାରବାର କରୁଥିବା ଏକ ଗ୍ୟାଙ୍ଗକୁ ଧରିଥିଲା। ସେମାନଙ୍କୁ ପଚରାଉଚରା ପରେ ସମ୍ପୃକ୍ତ ଅଭିଯୁକ୍ତମାନେ ଜୟପୁରର ଉପରୋକ୍ତ ଛାତ୍ରମାନଙ୍କ ନାମ କହିଥିଲେ। ଫଳରେ ନାର୍କୋଟିକ୍ସ ଟିମ୍‌ ଚଢ଼ାଉ କରି ୫ ଛାତ୍ରଙ୍କୁ ଧରିଥିବା ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ସମ୍ପୃକ୍ତ ଛାତ୍ରଙ୍କ ପରିବାର ଲୋକେ ଜୟପୁର ଟାଉନ ଥାନାରେ ସେମାନଙ୍କ ପିଲାଙ୍କ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ପାରାବେଡ଼ାରେ ଏକ ଭଡ଼ାଘର ନେଇ ଏମାନେ ପାଠ ପଢୁଥିଲେ ବୋଲି କୁହାଯାଉଛି। ଅନ୍ୟପକ୍ଷେ ରାଜା ମଣ୍ଡଳ ଅନ୍ତା ପଞ୍ଚାୟତର ସମିତିସଭ୍ୟ ଥିବା ଜଣାପଡିଛି।

Share