Categories: ଜାତୀୟ

ଓମିକ୍ରନ ଆକ୍ରାନ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସି ୫ ପଜିଟିଭ

ବେଙ୍ଗାଲୁରୁ,୨।୧୨: କର୍ନାଟକରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ ଆକ୍ରାନ୍ତ ମଧ୍ୟରୁ ଜଣେ ହେଉଛନ୍ତି ଡାକ୍ତର। ତାଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିଛି। ଦେଶରେ ପ୍ରଥମ ଥର ପାଇଁ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଘୋଷଣା ପରେ କର୍ନାଟକ ସରକାର ଏହି ଘୋଷଣା କରିଛନ୍ତି।

ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେଟଡ୍‌ ରଖାଯାଇଛି। ସେମାନଙ୍କ ନମୁନାକୁ ଜିନୋମ ସିକ୍ୱେସିଂ ପାଇଁ ପଠା ଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ଦୁଇ ଓମିକ୍ରମ ଆକ୍ରାନ୍ତଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭାକ୍ସିନ ନେଇଥିବା ବାଙ୍ଗାଲୁରୁ ଜଣେ ୪୬ ବର୍ଷୀୟ ଡାକ୍ତର ରହିଛନ୍ତି। ତାଙ୍କର ଟ୍ରାଭଲ ହିଷ୍ଟ୍ରୀ ନାହିଁ। ୨୧ ତାରିଖରେ ତାଙ୍କଠାରେ ଜ୍ୱର ଓ ଶରୀର ପୀଡ଼ା ଭଳି ଲକ୍ଷଣ ଦେଖାଦେଇଥିଲା।

ରପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ନମୁନାର ଦ୍ୱିତୀୟ ଥର ଯାଞ୍ଚ ପରେ ଓମିକ୍ରନରେ ଭାରିଆଣ୍ଟାରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ୩ ଦିନ ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ତାଙ୍କର କଣ୍ଟାକ୍ଟ ଟ୍ରେସିଂରୁ ୧୩ ଜଣ ସିଧାସଳଖ ଓ ୨୫୦ ସେକେଣ୍ଡାରୀ କଣ୍ଟାକ୍ଟଙ୍କ କୋଭିଡ୍‌-୧୯ ପରୀକ୍ଷା କରାଯାଇଛି ବୋଲି ରାଜ୍ୟ ସରକାର କହିଛନ୍ତି।

Share