Categories: ଜାତୀୟ

ଛୁଆଙ୍କୁ ଗଛରେ ବାନ୍ଧି ନିର୍ଯାତନା

ବେଙ୍ଗାଲୁରୁ,୨୬।୧୦: ବେଙ୍ଗାଲୁରୁର ଏକ ସରକାରୀ ସ୍କୁଲ ପରିସରରେ ପିଲାଙ୍କୁ ନିର୍ଯାତନା ଦିଆଯିବା ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ପିଲାଙ୍କୁ ଗଛରେ ବାନ୍ଧି ପିଟିବା ସହ ନାନା ନିର୍ଯାତନା ଦେଉଥିଲେ। ଗିରଫ  ୬ ଜଣଙ୍କ ମଧ୍ୟରେ ୫ ନାବାଳକ ଥିବା ପୋଲିସ ପକ୍ଷରୁ କୁହାଯାଇଛି।

ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍‌ପି) ଦ୍ୱାରା ପରିଚାଳିତ ଏକ ସ୍କୁଲର କ୍ୟାମ୍ପସରେ ଏକ ୬ ଜଣିଆ  ଗ୍ୟାଙ୍ଗ ପିଲାଙ୍କୁ  ନିୟମିତ ହଇରାଣ କରୁଥିଲେ। ଗତ ସପ୍ତାହରେ କିଛି ଭିଡିଓ ଭାଇରାଲ ହେବା ପରେ ସାମ୍ନାକୁ ଆସିଥିଲା ପୂରା ଘଟଣା।

ଗୋଟିଏ କ୍ଲିପ୍‌ରେ ସ୍କୁଲ ପିଲାଙ୍କୁ ଗ୍ୟାଙ୍ଗର ସଦସ୍ୟମାନେ ଗଛରେ ବାନ୍ଧି ମାଡ଼ ମାରିବା ସହ ବିଡି ଟାଣିବାକୁ  ବାଧ୍ୟ କରୁଛନ୍ତି। ଆଉ ଏକ ଭିଡିଓରେ, ଜଣେ ଅଭିଯୁକ୍ତ ପ୍ରାୟ ୭ ଜଣ  ସ୍କୁଲ ଛାତ୍ରୀଙ୍କୁ ଜଣ ଜଣ କରି ବାଡ଼ିରେ ବାଡାଉଥିବା ଦେଖିବାକୁ ମିଳିଥିଲା।

ଅଭିଯୁକ୍ତ ସ୍ଥାନୀୟ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି କିଛି ଛାତ୍ର। ଜଣଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଥିବା ବେଳେ ଅନ୍ୟମାନଙ୍କୁ ଜୁଭେନାଇଲ ହୋମ ପଠାଇ ଦିଆଯାଇଥିବା ପୋଲିସ କହିଛି।

Share