ବେଙ୍ଗାଲୁରୁ,୭।୩: ଗ୍ରୀଷ୍ମ ଆରମ୍ଭ ନ ହେଉଣୁ କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ ଦେଖାଦେଇଛି। ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଭଳି ଜଳସଙ୍କଟ କେବେ ଦେଖାଦେଇ ନ ଥିଲା। ଏହାର ସୁଯୋଗ ନେଇ ମାଫିଆମାନେ ପାଣି ଟ୍ୟାଙ୍କର ଦାମ୍ ମନଇଚ୍ଛା ବଢ଼ାଇ ଦେଇଛନ୍ତି।
୧,୦୦୦ ଟଙ୍କାରେ ପୂର୍ବରୁ ମିଳୁଥିବା ଗୋଟିଏ ଟାଙ୍କି ପାଣି ଦାମ୍ ହଠାତ୍ ବଢ଼ି ୧,୫୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ କେତେକ ଅଞ୍ଚଳରେ ତାହା ସର୍ବାଧିକ ୨,୦୦୦ ଟଙ୍କାରେ ପହଞ୍ଚିଛି।
ବେଙ୍ଗାଲୁରୁରେ ଦୈନିକ ଜଳ ଆବଶ୍ୟକତା ୨,୬୦୦ରୁ ୨,୮୦୦ ଏମ୍ଏଲ୍ଡି (ଦିନକୁ ନିୟୁତ ଲିଟର) ହୋଇଥିବାବେଳେ ଏବେ ୧,୫୦୦ ଏମ୍ଏଲ୍ଡି କମ୍ ମିଳୁଛି। ସେପଟେ ଜଳାଭାବ ଦୂର କରିବା ପାଇଁ ସରକାର ବିକଳ୍ପ ସନ୍ଧାନରେ ରହିଛନ୍ତି।
ଜଳ ପୁନଃଚକ୍ରଣ ଓ ଟ୍ରିଟ୍ମେଣ୍ଟ ପାଇଁ ଯୋଜନା ହେଉଛି। ଜଳସଙ୍କଟକୁ ନେଇ ରାଜନୈତିକ କାଦୁଅଫିଙ୍ଗା ଆରମ୍ଭ ହୋଇଯାଇଛି। ସରକାର ସପ୍ତାହେ ମଧ୍ୟରେ ନିର୍ଣ୍ଣୟାତ୍ମକ ପଦକ୍ଷେପ ନ ନେଲେ ଆନ୍ଦୋଳନ କରିବ ବୋଲି ଭାଜପା ଚେତାବନୀ ଦେଇଛି। ଅନ୍ୟପକ୍ଷରେ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ହେଲ୍ପଲାଇନ୍ ନମ୍ବର ଜାରି ହୋଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି।