ବେଙ୍ଗାଲୁରୁ, ୪।୬: କର୍ନାଟକରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପହଞ୍ଚିବା ସହ ଗତ ୨ ଦିନ ଧରି ୪୦ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ସହ ପ୍ରବଳ ବର୍ଷା ଲାଗି ରହିଛି। ରବିବାର ରାଜଧାନୀ ବେଙ୍ଗାଲୁରୁରେ ୧୧୧.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ୧୩୩ ବର୍ଷର ରେକର୍ଡ ଭଙ୍ଗ କରିଛି। ପୂର୍ବରୁ ସହରରେ ୧୮୯୧ ଜୁନ ୧୬ରେ ୧୦୧.୬ ମିମି ବର୍ଷା ରେକର୍ଡ ହୋଇଥିଲା। ଏହା ପରଠାରୁ ଜୁନ୍ ମାସର ଗୋଟିଏ ଦିନରେ ରବିବାର ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ସେହିପରି ବେଙ୍ଗାଲୁରୁ ସହରରେ ପ୍ରତିବର୍ଷ ଜୁନ୍ ମାସରେ ହାରାହାରି ୧୧୦.୩ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ରବିବାର କେବଳ ଗୋଟିଏ ଦିନରେ ସହରରେ ଏହାଠାରୁ ବେଶି ପରିମାଣର ବର୍ଷା ରେକର୍ଡ ହୋଇଛି। ସେହିପରି ସହରରେ ଜୁନ୍ ୫ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ଲାଗି ରହିବ ବୋଲି କର୍ନାଟକ ରାଜ୍ୟ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି।