କଟକ ଆବର୍ଜନାରେ ବେଣ୍ଟୁଆବାସୀ ଅତିଷ୍ଠ

ନରାଜ, ୧୩।୭ (ଡି.ଏନ୍‌.ଏ.): କଟକ ଜିଲା ବାରଙ୍ଗ ବ୍ଲକ ମୁଣ୍ଡଳି ପଞ୍ଚାୟତର ବେଣ୍ଟୁଆ ଗ୍ରାମବାସୀ ଅଳିଆ ଆବର୍ଜନା ଗନ୍ଧରେ ଛଟପଟ ହେଉଛନ୍ତି। ୧୨ ବର୍ଷ ହେବ କଟକ ସହରର ସମସ୍ତ ଅଳିଆ ଏହି ଗ୍ରାମ ପାଖରେ ପକାଯାଉଛି। ଫଳରେ ଆବର୍ଜନା ପଚିଶଢ଼ି ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଏଥିଯୋଗୁ ଏଠାକାର ପାଣି ପବନରେ ମଧ୍ୟ ବିଷ ଭରିଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। କଟକଠାରୁ ୧୫ କିଲୋମିଟର ଓ ମୁଣ୍ଡଳି ସିଆଇଏସ୍‌ଏଫ୍‌ଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଥିବା ଏହି ଆଦିବାସୀ ଗ୍ରାମରେ ୫୪ ପରିବାରର ୩୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଆବର୍ଜନା ଯୋଗୁ ବର୍ଷା ସମୟରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି। ଆବର୍ଜନାରୁ ପାଣି ଆସି ଗଁାରେ ପଶୁଥିବାରୁ ଲୋକେ ଝାଡ଼ାବାନ୍ତିର ଶିକାର ହେଉଛନ୍ତି। ଗତ ୬ ମାସ ତଳେ ଗ୍ରାମର ପ୍ରାୟ ୧୦ ଜଣ ସ୍ତ୍ରୀ ଓ ପୁରୁଷ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିିକାଲରେ ଭର୍ତ୍ତି ହୋଇଥିଲେ। ଆବର୍ଜନା ପଡ଼ୁଥିବା ସ୍ଥାନ ଦେଇ ଗଁାକୁ ଯାତାୟାତ ନିମନ୍ତେ ଯାଇଥିବା ରାସ୍ତା ଏବେ ଭାଙ୍ଗିରୁଜି ଯାଇଛି। ଗଁାକୁ ଏହା ଏକମାତ୍ର ରାସ୍ତା ହୋଇଥିବା ବେଳେ ବାରମ୍ବାର ଅଳିଆ ଗାଡ଼ି ଯାତାୟାତ କରିବା ଯୋଗୁ ଖାଲଖମାରେ ଭର୍ତ୍ତି ହୋଇଛି। ଫଳରେ ବହୁ ସମୟରେ ରାସ୍ତାରେ ଦୁର୍ଘଟଣା ଘଟୁଛି। ଏନେଇ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ଏକତ୍ରିତ ହୋଇ ଏଠାରେ ଅଳିଆ ନ ପକାଇବାକୁ ଦାବି କରିଥିଲେ। ଗତ ମାର୍ଚ୍ଚରେ ସମସ୍ୟାର ସମାଧାନ ପାଇଁ କଟକ ସିଏମ୍‌ସିର କେତେଜଣ ଅଧିକାରୀ, ବାରଙ୍ଗ ଥାନା ଅଧିକାରୀ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ମଧ୍ୟରେ ବୈଠକ ହୋଇଥିଲା। ବୈଠକରେ ଗ୍ରାମରେ ପ୍ରତ୍ୟେକ ଗୁରୁବାର ସ୍ବାସ୍ଥ୍ୟ ଶିବିର ସହ ମଶାରି ଯୋଗାଇଦେବାକୁ ସ୍ଥିର ହୋଇଥିଲା। ଗ୍ରାମରେ ବ୍ଲିଚିଂ ପାଉଡର ପକାଇବାକୁ ନିଷ୍ପତ୍ତି ହୋଇଥିଲା। ଜୁନ ପୂର୍ବରୁ ରାସ୍ତା କଂକ୍ରିଟ୍‌ କରାଯିବାସହ ଅଳିଆ ଦୂରରେ ପକାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଏସବୁ କେବଳ ପ୍ରତିଶ୍ରୁତିରେ ରହିଯାଇଛି। ବର୍ଷାଦିନ ଆସିଯାଇଥିବାରୁ ଗ୍ରାମବାସୀ ଏବେ ଭୟଭୀତ ହୋଇଯାଇଛନ୍ତି। ଏନେଇ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Share