Categories: ଖେଳ

ହିଜାବରେ ପ୍ରଥମ ଖେଳାଳି ବେନ୍‌ଜିନା

ଆଡିଲେଡ୍‌, ୩୧ା୭ (ଏପି): ସିନିୟର ମହିଳା ଫୁଟ୍‌ବଲ ବିଶ୍ୱକପ୍‌ରେ ହିଜାବ ପରିଧାନ କରି ଖେଳିବାରେ ମରକ୍କୋ ଡିଫେଣ୍ଡର ନୌହେଲା ବେନ୍‌ଜିନା ପ୍ରଥମ ଖେଳାଳି। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଖେଳି ସେ ଇତିହାସ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ଓ ସୁରକ୍ଷା ଜିନିତ କାରଣରୁ ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ହିଜାବ ପରିଧାନକୁ ବାରଣ କରିଥିଲା।

ମାତ୍ର ସ୍ବେଚ୍ଛାକର୍ମୀ, ଆଥଲେଟ ଏବଂ ସରକାର ଓ ଫୁଟ୍‌ବଲ ଅଫିସିଆଲଙ୍କ ଓକିଲାତି ପରେ ୨୦୧୪ରେ ଏହି କଟକଣାକୁ ଉଠାଇ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ମୁସ୍‌ଲିମ ଓମେନ ସ୍ପୋଟର୍‌ସ ନେଟଓ୍ବର୍କର ସହ ପ୍ରତିଷ୍ଠାତା ଆସ୍‌ମାହ ହିଲାଲ୍‌ କହିଛନ୍ତି, ବେନ୍‌ଜିନାଙ୍କୁ ଦେଖି କେବଳ ଖେଳାଳି ନୁହଁନ୍ତି ଅଧିକରୁ ଅଧିକ ମୁସ୍‌ଲିମ୍‌ ବାଳିକା ଓ ମହିଳା ହିଜାବ ବ୍ୟବହାର କରିବା ଲାଗି ଉତ୍ସାହିତ ହେବେ।

ବେନଜିନା ମରକ୍କୋର ଟପ୍‌ ମହିଳା ଲିଗ୍‌ ୮ଥର ଚାମ୍ପିୟନ ପ୍ରଫେସନାଲ କ୍ଲବ ଆସୋସିଏଶନ୍ସ ସ୍ପୋଟର୍‌ସ ଅଫ୍‌ ଫୋର୍ସେସ ଆର୍ମଡ ରୟାଲ ତରଫରୁ ଖେଳିଥାନ୍ତି। ସେ ମେଲବୋର୍ନଠାରେ ଖେଳାଯାଇଥିବା ମରକ୍କୋର ଓପନିଂ ଗେମ୍‌ ଖେଳି ନ ଥିଲେ। ଏଥିରେ ତାଙ୍କ ଦଳ ଗ୍ରୁପ୍‌ ଏଚ୍‌’ରେ ଜର୍ମାନୀ ନିକଟରୁ ୬-୦ ଗୋଲ୍‌ରେ ପରାଜିତ ହୋଇଥିଲା। ମହିଳା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ମରକ୍କୋ ହେଉଛି ପ୍ରଥମ ଆରବ ଓ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର।

Share