Advertisement

୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ବିଇଓ

ଢେଙ୍କାନାଳ ଅଫିସ,୧୧।୪: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଶାନ୍ତନୁ କୁମାର ମଲିକ ମଙ୍ଗଳବାର ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବିଇଓ ଶାନ୍ତନୁ ବ୍ରହ୍ମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଅଦୈତ ମାଝିଙ୍କ ଠାରୁ ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି।

ମିଳିଥିବା ସୂଚନା ମୁତାକବ, ଶିକ୍ଷକ ଅଦୈତଙ୍କ ସସ୍‌ପେଣ୍ଡ ଆଦେଶ ଉଠିବା ପରେ ପୁନଃ ନିଯୁକ୍ତି ପାଇଥିଲେ । ହେଲେ ତାଙ୍କର ସସ୍‌ପେଣ୍ଡ ଆଲାଉନ୍ସ , ଏରିୟର ଏବଂ ଅନ୍ୟ ସମସ୍ତ କାଗଜପତ୍ର କରିଦେବାକୁ ବିଇଓ ଶାନ୍ତନୁଙ୍କୁ ନିବେଦନ କରିଥିଲେ ।  ବିଇଓ ଶାନ୍ତନୁ ଏହି ସବୁ କାଗଜପତ୍ର କରାଇ ଦେବାକୁ ଅଦୈତଙ୍କୁ ଲାଞ୍ଚ ମାଗି ଥିଲେ । ଲାଞ୍ଚ ବାବଦକୁ ଅଦୈତ ତାଙ୍କୁ ୬୦ ହଜାର ଟଙ୍କା ଦେଇ ସାରିଥିଲେ। ଏହା ପରେ ମଧ୍ୟ କାମ ହୋଇ ନ ଥିଲା। ମଙ୍ଗଳବାର ପୁଣି ହିନ୍ଦୋଳ ସ୍ଥିତ ଭଡ଼ା ଘରେ ବିଇଓ ଶାନ୍ତନୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବ ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡିଥିଲେ। ଏପରିକି ଭିଜିଲାନ୍ସ ପକ୍ଷରୁ ହିନ୍ଦୋଳସ୍ଥିତ ତାଙ୍କ ଭଡ଼ା ଘର ସମେତ ସରକାରୀ କାର୍ଯ୍ୟାଳୟ ଏବଂ ଭଦ୍ରକ ସ୍ଥିତ ଫୈତୃକ ଘରେ ଚଢ଼ାଉ ଜାରି ରହିଛି । ଚଢାଉ ବେଳେ ତାଙ୍କଠାରୁ ନଗଦ ୯୧ ହଜାର ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share