ରିମାଣ୍ଡରେ ସତ ମାନିଲେ ଶୁଚିସ୍ମିତା

ଭବାନୀପାଟଣା,୨୫।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବିଇଓ ଅଫିସ୍‌ର ପୂର୍ବତନ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କୁ ଟାଉନ ଥାନା ପୋଲିସ ଗୋଟିଏ ଦିନ ପାଇଁ ରିମାଣ୍ଡରେ ଆଣିଥିଲା। ଭବାନୀପାଟଣା ଟାଉନ ଥାନା ଇନ୍ସପେକ୍ଟର ରନିତାରାଣୀ ପ୍ରଧାନ ଶୁଚିସ୍ମିତାଙ୍କୁ ଗୋଟିଏ ଦିନ ପାଇଁ ରିମାଣ୍ଡରେ ଆଣିଥିଲେ। ଦିନ ତମାମ ମାରାଥନ ଜେରା ପରେ ଅପରାହ୍ନ ୪ଟାରେ ତାଙ୍କୁ ଜେଲ୍‌କୁ ପୁଣି ପଠାଇ ଦେଇଥିଲେ। ଶୁଚିସ୍ମିତା ଫେରାର ହେବା ପରେ ବନାରସରେ ସମ୍ପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିଲେ। ଶୁଚିସ୍ମିତା ଏକ୍ସକ୍ୟାଡର ଶିକ୍ଷକଙ୍କ ସେପ୍ଟେମ୍ବର ଦରମା ଓ ଅନ୍ୟାନ୍ୟ ଅର୍ଥ ବାବଦକୁ ପ୍ରାୟ ୩୯ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡ଼ପ କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏଥିସହ ଏହି ଟଙ୍କା କାହାକୁ ପ୍ରଦାନ କରିଥିଲେ ଏହାର ଏକ ଲମ୍ବା ତାଲିକା ଦେଇଥିଲେ। ସେହିଭଳି ଟଙ୍କା ହଡ଼ପ ପଛରେ କେଉଁମାନେ ସହଯୋଗ କରିଥିଲେ ପୋଲିସ ଆଗରେ ବଖାଣିଥିଲେ। ସେ ଅକ୍ଟୋବର ୬ ତାରିଖ ନିଜ ସ୍କୁଟି ବିଇଓ ଅଫିସରେ ରଖି ଶିକ୍ଷକ ପୂର୍ଣ୍ଣଶଶି ମହାନ୍ତିଙ୍କ ସହାୟତାରେ ସଦର ଥାନା ନିକଟକୁ ଯାଇଥିଲେ। ସେଠାରୁ ପୂର୍ବରୁ ଜଗି ରହିଥିବା ଗାଡ଼ିରେ ରାୟପୁର ଚାଲିଯାଇଥିଲେ। ରାୟପୁରରୁ ବିମାନ ଯୋଗେ ବନାରସ ଯାଇଥିଲେ। ବନାରସରେ ତାଙ୍କର ଜଣେ ନିକଟ ସମ୍ପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିଲେ। ଏହି ଘଟଣାରେ ୩ଜଣ ସହଯୋଗକାରୀ ଗିରଫ ହୋଇ ଜେଲ ଯାଇଛନ୍ତି। ତେବେ ଭିଜିଲାନ୍ସ କେବେ ତାଙ୍କୁ ରିମାଣ୍ଡରେ ନେଉଛି ସେ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି।

Share