ବ୍ରହ୍ମପୁର ରିଙ୍ଗ୍‌ ରୋଡ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରୀ

ଭୁବନେଶ୍ୱର,୧୪।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ମଙ୍ଗଳବାର ସେ ବହ୍ମପୁର ରିଙ୍ଗ୍‌ ରୋଡ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରୋଜେକ୍ଟ ଦ୍ୱାରା ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ଟାଉନରେ ସୁବିଧାରେ ଗମନାଗମନ ସହ ଟ୍ରାଫିକ ବବସ୍ଥା ହୋଇପାରିବ। ସେହିପରି ଗଞ୍ଜାମ ଜିଲା ଅଧିନସ୍ଥ ଧାରାକୋଟେ ବ୍ଲକର ଜାନିଭିଲି ଗ୍ରାମ ନିକଟରେ ଋଷିକୂଲ୍ୟା ନଦୀ ଉପରେ ଜାନିଭିଲି ନାମକ ଏକ ବ୍ୟାରେଜ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପର ନିର୍ମାଣ ପାଇଁ ୮୬.୫୪କୋଟି ଏବଂ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବ୍ୟକ୍ଷଣ ନିମିତ୍ତ ୧ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି । ପ୍ରକଳ୍ପଟିକୁ ୨ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରାଯାଇଛି।
ଏହି ପ୍ରକଳ୍ପରେ ଜଳ ଗର୍ଭସ୍ଥ ଯାନ୍ତ୍ରିକ କାର୍ଯ୍ୟ, ବିଦ୍ୟୁତ ସଂଯୋଗୀକରଣ, ରାସ୍ତା ସଂଯୋଗୀକରଣ ଓ କର୍ମଚାରୀ ନିବାସ ଆଦି ନିର୍ମାଣ କରାଯିବ। ଉକ୍ତ ପ୍ରକଳ୍ପଟି ଗଞ୍ଜାମ ଜିଲାର ୫୨,୬୭୫ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇଦେବା ସହିତ ବ୍ରହ୍ମପୁର ମହାନଗର ନିଗମକୁ ୬୭.୫ ମିଲିୟନ ଲିଟର ପାନୀୟ ଜଳ ପ୍ରତିଦିନ ଉପଲବ୍ଧ କରାଇବ । ଏହାଛଡା ପ୍ରକଳ୍ପଟି ୩୨ ହେକ୍ଟର ଅଞ୍ଚଳରେ ମାଛ ଚାଷ ସୁବିଧା ପ୍ରଦାନ କରିବା ସହିତ ଭୂତଳ ଜଳର ପୁନଃଭରଣ ଓ ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେବ ।

 

Share