ଭୁବନେଶ୍ୱର ,୩୦।୧୨ (ଅଭୟ ଦାଶ): ପୂର୍ବ ଭାରତର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ତଥା ବିଶ୍ୱେଶ୍ୱର ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ର ଫାର୍ମ-ବି ବ୍ରାଣ୍ଡ୍ (ରୁଚି-ଫାର୍ମ ବି)କୁ ଇଣ୍ଡିଆ-୫୦୦ ଶ୍ରେଷ୍ଠ ବ୍ରାଣ୍ଡ୍ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏମ୍ଏସ୍ଏମ୍ଇ ପକ୍ଷରୁ ନଭି ମୁମ୍ବାଇର ସିଡ୍କୋ ପ୍ରେକ୍ଷାଳୟଠାରେ ଆୟୋଜିତ ଇଣ୍ଡିଆ-୫୦୦୦ ଏମ୍ଏସ୍ଏମ୍ଇ ସମାରୋହ ଉତ୍ସବରେ ବିଶ୍ୱେଶ୍ୱର ଫୁଡ୍ସର ନିର୍ଦ୍ଦେଶିକା ରଶ୍ମି ସାହୁ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଇଣ୍ଡିଆ ବିଜ୍ନେସ୍ ଆୱାର୍ଡସ୍ର ଅଧ୍ୟକ୍ଷ କେତନ ଭେକାରିଆ, ଟ୍ରେଡ୍ ଇଣ୍ଡିଆର ସିଇଓ ସନ୍ଦୀପ ଛେତ୍ରୀ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସହକାରୀ ଉପସଭାପତି ଡ. ସାରଦା ଲାଣ୍ଡେ ଅତିଥି ଭାବେ ଯୋଗ ଦେଇ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ। ବିଶେଷକରି ଇଟାଲୀ ଓ ସୁଇଜରଲାଣ୍ଡରୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ବିଶେଷ ଶିକ୍ଷା ଓ ପ୍ରଶିକ୍ଷଣ ଗ୍ରହଣ କରିଥିବା ଯୁବ ଉଦ୍ୟୋଗୀ ରଶ୍ମି, ପୂର୍ବ ଭାରତରେ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ପ୍ରସ୍ତୁତି, ବିପଣନ ଓ ମାର୍କେଟିଂ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ଜାତୀୟସ୍ତରରେ ଏଭଳି ଏକ ସମ୍ମାନ ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ରଶ୍ମି କହିଛନ୍ତି, ଖାଦ୍ୟ ଶିଳ୍ପ କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗକୁ ଯିବା ପାଇଁ ଉକ୍ତ ପୁରସ୍କାର ଆମକୁ ବିଶେଷ ପ୍ରେରଣା ଦେବ। ଏପରିକି ପୂର୍ବ ଭାରତରେ ଫାର୍ମ-ବି’ର ଉପତ୍ାଦନ ସାମଗ୍ରୀ ଗ୍ରାହକମାନଙ୍କ ପାଇଁ ବେଶ୍ ପସନ୍ଦଯୋଗ୍ୟ ହୋଇପାରିଛି। ସେହିଭଳି ମୁମ୍ବାଇଠାରେ ଏମ୍ଏସ୍ଏମ୍ଇ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ସାରା ଭାରତରୁ ୫୦୦ ରୁ ଅଧିକ ଖାଦ୍ୟ ଶିଳ୍ପଗୋଷ୍ଠୀ ଯୋଗଦେଇଥିଲେ। ଏହି ସଫଳତା ପାଇଁ ସେ ବିଶିଷ୍ଟ ଉଦ୍ୟୋଗୀ ତଥା ରୁଚି ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ଏବଂ ଗ୍ରାହକମାନଙ୍କୁ ଶ୍ରେୟ ଦେଇଛନ୍ତି।