ଶ୍ରେଷ୍ଠ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ବିବେକ୍‌ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ଶ୍ରେଷ୍ଠ ଫିଲ୍ମ କାଟାଗୋରିରେ ଦାଦାସାହେବ ଫାଲ୍‌କେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆଓ୍ବାର୍ଡରେ ସମ୍ମାନିତ ହୋଇଛି। ସେହିପରି ଅନୁପମ ଖେରଙ୍କୁ ମୋଷ୍ଟ ଭର୍ସାଟାଇଲ୍‌ ଆକ୍ଟର ଆଓ୍ବାର୍ଡ ପ୍ରଦାନ କରାଯାଇଛି। ରବିବାର ମୁମ୍ବାଇ ଦ ତାଜ୍‌ ଏଣ୍ଡରେ ଏହି ଆଓ୍ବାର୍ଡ ସେରେମୋନି ଅନୁଷ୍ଠିତ ହୋଇଥିଲା। ହିନ୍ଦୀ ଫିଲ୍ମ ‘ଗଙ୍ଗୁବାଈ କାଠିଆଓ୍ବାଡି’ରେ ମୁଖ୍ୟ ଭୂମିକାରେ ଅଭିନୟ ପାଇଁ ଆଲିଆ ଭଟ୍ଟଙ୍କୁ ବେଷ୍ଟ ଆକ୍ଟ୍ରେସ୍‌ ଏବଂ ସ୍ବାମୀ ରଣବୀର କପୁରଙ୍କୁ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ପ୍ରଥମ ସଂସ୍କରଣ ପାଇଁ ବେଷ୍ଟ ଆକ୍ଟର ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି। ପାନ୍‌ ଇଣ୍ଡିଆ ଫିଲ୍ମ‘ଆର୍‌ଆର୍‌ଆର୍‌’କୁ ଫିଲ୍ମ ଅଫ୍‌ ଦ ଇୟର୍‌ ଶ୍ରେଣୀରେ ଦାଦା ସାହେବ ଫାଲ୍‌କେ ନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ କରାଯାଇଛି।
ଅନ୍ୟପକ୍ଷେ କନ୍ନଡ ହିଟ୍‌ ଫିଲ୍ମ ‘କନ୍ତାରା’ ପାଇଁ ବେଷ୍ଟ ପ୍ରୋମିିସିଂ ଆକ୍ଟର ଆଓ୍ବାର୍ଡରେ ଫିଲ୍ମ ନିର୍ମାତା ତଥା ଅଭିନେତା ରିଶବ ଶେଟ୍ଟୀଙ୍କୁ ସମ୍ମାନିତ କରାଯାଇଛି। ଦାଦା ସାହେବ ଫାଲ୍‌କେ ଭଳି ସମ୍ମାନଜନକ ପୁରସ୍କାର ପାଇ ବେଶ୍‌ ଉତ୍ସାହିତ ଥିବା ସହ ଆଗାମୀ ଦିନରେ ଏଭଳି ଅନେକ ମନୋରଞ୍ଜନକାରୀ ଫିଲ୍ମ ଦର୍ଶକଙ୍କୁ ଭେଟି ଦେବା ପାଇଁ ରିଶବ ଲକ୍ଷ୍ୟ ରଖିଥିବା କହିଛନ୍ତି। ‘ଭେଡଆ’ ଫିଲ୍ମ ପାଇଁ ବରୁଣ ଧଓ୍ବନଙ୍କୁ କ୍ରିଟିକ୍ସ ବେଷ୍ଟ ଆକ୍ଟର ଆଓ୍ବାର୍ଡ ମିଳିଛି। ରୁପାଲି ଗାଙ୍ଗୁଲିଙ୍କ ଦ୍ୱାରା ଅଭିନୀତ ଟେଲି ଧାରାବାହିକ ‘ଅନୁପମା’କୁ ଟେଲିଭିଜନ୍‌ ସିରିଜ୍‌ ଅଫ୍‌ ଦ ଇୟର୍‌ ଭାବେ ବିବେଚନା କରାଯାଇଛି। ୮୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କୁ ‘ଆଉଟ୍‌ଷ୍ଟାଣ୍ଡିଂ କଣ୍ଟ୍ରିବ୍ୟୁଶନ ଇନ୍‌ ଦ ଫିଲ୍ମ ଇଣ୍ଡଷ୍ଟ୍ରି’ ଶ୍ରେଣୀରେ ଦାଦା ସାହେବ ଫାଲ୍‌କେ ପୁରସ୍କାର ପ୍ରଦାନ କରାଯାଇଛି।
ଏହି ସମ୍ମାନଜନକ ପୁରସ୍କାର ବଣ୍ଟନରେ ପକ୍ଷପାତିତା କରାଯାଇଥିବା ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି। ଷ୍ଟାର କିଡ୍‌ମାନଙ୍କୁ ପ୍ରମୁଖ ଆଓ୍ବାର୍ଡମାନ ବଣ୍ଟାଯାଇଛି। ‘ନେପୋ ମାଫିଆ’ ଜାଣିଶୁଣି ସେଲ୍ଡମେଡ୍‌ ଆକ୍ଟରଙ୍କ କ୍ୟାରିୟର୍‌କୁ ନଷ୍ଟ କରିବାକୁ ବସିଥିବା କଙ୍ଗନା ଅଭିଯୋଗ ଆଣିଛନ୍ତି।

Share