ଶ୍ରେଷ୍ଠ ଗୁରୁ ଓ ଆଦର୍ଶ ଛାତ୍ର

ଗୋଲଖ ଚନ୍ଦ୍ର ଦାସ

 

ସ୍ଥାନଟି ହେଉଛି ଥିରୁଭାନନ୍ତପୁରମ୍‌ ସମୁଦ୍ରକୂଳ। ଏଠାରେ ଜଣେ ଭଦ୍ରବ୍ୟକ୍ତି ଧୋତି ପିନ୍ଧି ଶାଲ୍‌ ଘୋଡ଼େଇ ହୋଇ ଭଗବଦ୍‌ ଗୀତା ପାଠ କରୁଥିଲେ। ସେହି ସମୟରେ ଜଣେ ଯୁବକ ଆସି ତାଙ୍କ ପାଖରେ ବସିପଡ଼ିଲେ। ଯୁବକ ଜଣକ ସମୁଦ୍ରକୁ ଅନାଇବା ସହିତ ପାଖରେ ଥିବା ଭଦ୍ରବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖିଥାନ୍ତି। ଭଦ୍ରବ୍ୟକ୍ତି ଜଣଙ୍କ ଏକ ଲୟରେ ଗୀତା ପାଠ କରୁଥାନ୍ତି। ଯୁବକ ଜଣଙ୍କ କିଛି ସମୟ ବସିବା ପରେ ଭଦ୍ରବ୍ୟକ୍ତିଙ୍କୁ ପଚାରିଲେ ‘ଆପଣ ଯେଉଁ ପୁସ୍ତକଟି ପାଠ କରୁଛନ୍ତି ତା’ର ନାମ କ’ଣ? ‘ଭଦ୍ରବ୍ୟକ୍ତି ଜଣଙ୍କ ଉତ୍ତର ଦେଇଥିଲେ ‘ଭଗବଦ୍‌ ଗୀତା’। ଯୁବକ ଜଣଙ୍କ କହିଲେ ‘ଭଗବଦ୍‌ ଗୀତା, ଏଭଳି ଧର୍ମଗ୍ରନ୍ଥ ପଢ଼ିବାରେ କୌଣସି ଲାଭ ଅଛି, ଦେଖନ୍ତୁ ଦୁନିଆ ଚନ୍ଦ୍ରରେ ପହଞ୍ଚତ୍ ଗଲାଣି, ତଥାପି ତୁମେ ଗୀତା ଏବଂ ରାମାୟଣ ପାଖରେ ଅଟକି ରହିଛ।’ ଭଦ୍ରବ୍ୟକ୍ତି ଜଣଙ୍କ ଯୁବକଙ୍କୁ ପଚାରିଲେ ‘ତୁମେ ଗୀତା ବିଷୟରେ କ’ଣ ଜାଣିଛ? କେବେ ଗୀତା ପାଠ କରିଛ?’ ଯୁବକ ଜଣଙ୍କ ନୀରବ ରହିଲେ ଏବଂ କିଛି ସମୟ ପରେ କହିଲେ ‘ଏସବୁ ପଢ଼ିଲେ କ’ଣ ହେବ? ମୁଁ ତ ବିକ୍ରମ ସରାଭାଇ ଗବେଷଣା ପ୍ରତିଷ୍ଠାନର ଛାତ୍ର। ମୁଁ ଜଣେ ବୈଜ୍ଞାନିକ। ମୋ ପାଇଁ ଗୀତା ପାଠ କୌଣସି କାମରେ ଆସିବ ନାହିଁ। ’ ଯୁବକର କଥା ଶୁଣି ଭଦ୍ରବ୍ୟକ୍ତି ଜଣଙ୍କ ହସିଲେ ଏବଂ ପୁଣି ଗୀତା ପାଠରେ ମଗ୍ନ ରହିଲେ।
କିଛି ସମୟ ମଧ୍ୟରେ ଦୁଇଟି ଗାଡ଼ି ଆସି ସେଠାରେ ଅଟକି ଗଲା। ଗୋଟିଏ କାର୍‌ରୁ କିଛି ଆର୍ମ ଗାର୍ଡ ଓହ୍ଲାଇଲେ ଏବଂ ଅନ୍ୟ ଏକ କାର୍‌ରୁ ଜଣେ ସିପାହି ଓହ୍ଲାଇଲେ। ସିପାହି ଜଣଙ୍କ ଅଭିବାଦନ ଜଣାଇ କାର୍‌ର ପଛ କବାଟ ଖୋଲି ଠିଆ ହେଲେ। ଗୀତା ପାଠ କରୁଥିବା ଭଦ୍ରବ୍ୟକ୍ତି ଜଣଙ୍କ ଧୀରେ ଧୀରେ କାର୍‌ ଭିତରେ ଯାଇ ବସିଲେ। ଏହା ସେହି ଯୁବକ ଜଣକ ଦେଖୁଥାନ୍ତି। ଏସବୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ଗୀତା ପାଠ କରୁଥିବା ବ୍ୟକ୍ତି ଜଣଙ୍କ ନିଶ୍ଚୟ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ବୋଲି ତାଙ୍କ ମନରେ ଧାରଣା ଆସିଗଲା। ଗାଡି ଦୁଇଟି ଚାଲିଯିବା ପୂର୍ବରୁ ଭଦ୍ରବ୍ୟକ୍ତିଙ୍କ ବିଷୟରେ ଜାଣିବା ପାଇଁ ଯୁବକ ଜଣଙ୍କ ଦୌଡି ଯାଇ ଗାଡି ପାଖରେ ଠିଆ ହୋଇଗଲେ ଏବଂ ପଚାରିଲେ ‘ସାର୍‌ ଆପଣଙ୍କ ନାଁ କ’ଣ, ଆପଣଙ୍କ ପରିଚୟ ଜାଣିବାକୁ ଚାହେଁ।’ ଭଦ୍ରବ୍ୟକ୍ତି ଜଣଙ୍କ ଅତି ନିମ୍ନ ସ୍ବରରେ କହିଲେ ‘ମୁଁ ବିକ୍ରମ ସରାଭାଇ।’ ଯୁବକଟି ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପ୍ରଣାମ କଲେ। ଭଗବଦ୍‌ ଗୀତା କାହିଁକି ପଢୁଛନ୍ତି ବୋଲି କହିଥିବାରୁ କ୍ଷମା ମାଗିଲେ। ଏହାପରେ ବିକ୍ରମ ସରାଭାଇ ତାଙ୍କୁ କହିଥିଲେ ‘ତୁମେ ଭଗବଦ୍‌ ଗୀତା ପଢ଼, ଏହାର ଉପାଦେୟତା ନିଶ୍ଚୟ ଜାଣିପାରିବ। ତୁମେ ଯେଉଁ କାମ କର, ସେହି କାମ ନିଷ୍ଠାର ସହିତ ଏବଂ ନିଃସ୍ବାର୍ଥ ଭାବରେ କରିବାର ପ୍ରେରଣା ଭଗବଦ୍‌ ଗୀତାରୁ ହିଁ ମିଳିଥାଏ। ’
ବିକ୍ରମ ସରାଭାଇଙ୍କୁ ପ୍ରଶ୍ନ କରିଥିବା ବ୍ୟକ୍ତି ଜଣଙ୍କ ଆଉ କେହି ନୁହନ୍ତି, ଆମ ଦେଶର ପୂର୍ବତନ ରାଷ୍ଟ୍ରପତି ଡ. ଏ. ପି. ଜେ. ଅବଦୁଲ କଲାମ। ସେ ‘ମିସାଇଲ୍‌ ମ୍ୟାନ ଅଫ୍‌ ଇଣ୍ଡିଆ’ ରୂପେ ଜଣାଶୁଣା ଓ ଦେଶର ପ୍ରତିରକ୍ଷା ପ୍ରଯୁକ୍ତି ବିକାଶରେ ଏକ ପ୍ରେରଣା ଶକ୍ତି ଥିଲେ। ତାଙ୍କର ମହାନ୍‌ ଅବଦାନ ଦେଶକୁ ଆଣବିକ ରାଷ୍ଟ୍ର ଗୋଷ୍ଠୀରେ ଠିଆହେବାର ସୁଯୋଗ ଦେଇଥିଲା। ଅବଦୁଲ କଲାମ ସେହି ଦିନ ବିକ୍ରମ ସରାଭାଇଙ୍କୁ ନିଜର ଗୁରୁ ରୂପେ ମାନିନେଲେ ଏବଂ ଗୀତା ପଢ଼ିବା ଆରମ୍ଭ କଲେ। ଇସ୍ରୋରେ ଗବେଷଣା କରିବା ସମୟରେ କଲାମଙ୍କୁ ଗୁରୁ ବିକ୍ରମ ସରାଭାଇଙ୍କ ସହଯୋଗ ଓ ମାର୍ଗଦର୍ଶନ ମଧ୍ୟ ମିଳିଥିଲା।
ଅବଦୁଲ କଲାମ ୧୫ ଅକ୍ଟୋବର ୧୯୩୧ରେ ତାମିଲନାଡୁର ରାମେଶ୍ୱରମ୍‌ରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଭଗବଦ୍‌ ଗୀତା ସହିତ ରାମାୟଣ, ମହାଭାରତ ଏବଂ ଅନ୍ୟାନ୍ୟ ବୈଦିକ ଗ୍ରନ୍ଥ ମଧ୍ୟ ଅଧ୍ୟୟନ କରିଥିଲେ।
ବିଦେଶ ଯାଇ ନିଜର ଭବିଷ୍ୟତ ତିଆରି କରିବା ଏବଂ ଅନ୍ୟପଟେ ଦେଶରେ ରହି କିଛି କରିବା,ଏହି ଦୁଇଟିରୁ ଗୋଟିଏ ବାଛିବା କଷ୍ଟସାଧ୍ୟ ଥିଲା। ଏହି ସମୟରେ ଗୀତା ତାଙ୍କ ଉପରେ ବହୁତ ପ୍ରଭାବ ପକାଇଥିଲା। ଶେଷରେ ସେ ସ୍ଥିର କରିଥିଲେ ଟଙ୍କା ପାଇଁ ବିଦେଶ ନ ଯାଇ ଏଠାରେ ରହି ଦେଶ ସେବା କରିବାର ସୁଯୋଗ ହାତଛଡା କରିବେ ନାହିଁ। ୧୯୫୮ରେ ସେ ଡିଆର୍‌ଡିଓରେ ସାମିଲ ହେଲେ। ଡ.କଲାମ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ‘ଗୀତା ଏକ ବିଜ୍ଞାନ ଏବଂ ଭାରତୀୟମାନଙ୍କ ସାଂସ୍କୃତିକ ଐତିହ୍ୟ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ’
ଅବଦୁଲ କଲାମ ଥରେ ତାଙ୍କ ଭାଷଣରେ ସେ ନିଜେ କହିଥିଲେ ‘ବିକ୍ରମ ସରାଭାଇ ମୋତେ ଚିହ୍ନିଥିଲେ, ମୁଁ ଅଧ୍ୟୟନରେ ଦୁର୍ବଳ ଥିଲି କିନ୍ତୁ ମୁଁ ବହୁତ ପରିଶ୍ରମୀ ଥିଲି। ଯେତେବେଳେ ସେ ମୋତେ ଜଣେ ଯୁବ ବୈଜ୍ଞାନିକ ଭାବରେ ସୁଯୋଗ ଦେଲେ ସେତେବେଳେ ମୁଁ ବହୁତ କିଛି ଜ୍ଞାନ ଅର୍ଜନ କରିଛି ଓ ଶିଖିଛି। ଏହାପରେ ସେ ମୋତେ ଆଗକୁ ବଢ଼ିବା ପାଇଁ ସହଯୋଗ କରିଥିଲେ। ଯେତେବେଳେ ମୁଁ ଶିଡି ତଳେ ଥିଲି ସେତେବେଳେ ମୋତେ ଆଗକୁ ବଢ଼ିବାର ଦାୟିତ୍ୱ ଅର୍ପଣ କରିଥିଲେ। ଯେତେବେଳେ ମୁଁ ବିଫଳ ହୁଏ, ସେ ସମୟରେ ମୋତେ ସାହାଯ୍ୟ କରିବା ପାଇଁ ସର୍ବଦା ମୋ ପାଖରେ ଠିଆ ହୋଇଥାନ୍ତି। ‘ବିକ୍ରମ ସରାଭାଇଙ୍କ ଠାରୁ ସେ କେବଳ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଷୟରେ ଜାଣିଥିଲେ ତାହା ନୁହେଁ ବରଂ ଜୀବନ ଏବଂ ନେତୃତ୍ୱର ସମସ୍ତ ବିଷୟ ଶିକ୍ଷା କରିଥିଲେ। ଅବଦୁଲ କଲାମ ନିଜକୁ ବିକ୍ରମ ସରାଭାଇଙ୍କ ଆବିଷ୍କାର ବୋଲି କହୁଥିଲେ।
ଅବଦୁଲ କଲାମ ଯାହାଙ୍କୁ ଗୁରୁଭାବରେ ବିବେଚନା କରୁଥିଲେ ସେ ହେଉଛନ୍ତି ଭାରତୀୟ ମହାକାଶ କାର୍ଯ୍ୟକ୍ରମର ପିତାମହ ବିକ୍ରମ ସରାଭାଇ। ଏହି ଶ୍ରେଷ୍ଠ ଗୁରୁଙ୍କର ଆଦର୍ଶ ଛାତ୍ର କଲାମ ମଧ୍ୟ ନିଜକୁ ଜଣେ ମହାନ୍‌ଗୁରୁ ରୂପେ ପ୍ରତିପାଦିତ କରିପାରିଛନ୍ତି। ସେ ପରୋକ୍ଷ ବା ପ୍ରତ୍ୟକ୍ଷରେ ହେଉ ତାଙ୍କ ସମୟକାଳରେ ଗବେଷଣା କ୍ଷେତ୍ରରେ ଏପରି କାର୍ଯ୍ୟ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ସମସ୍ତେ ଜଣେ ଆଦର୍ଶ ପୁରୁଷ ଭାବି ଶ୍ରଦ୍ଧା ଓ ସମ୍ମାନ କରନ୍ତି।
ଘିଗିଡିଆ, ବାରୁଅ, କେନ୍ଦ୍ରାପଡ଼ା
ମୋ: ୯୮ ୬୧୦୨୮୫୫୩


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri