ବିଶ୍ୱାସଘାତ କରିଛି ଓ୍ବାଗନର ଗ୍ରୁପ୍‌, ଦିଆଯିବ ଉଚିତ ଜବାବ: ପୁଟିନଙ୍କ ଚେତାବନୀ…

ମସ୍କୋ,୨୪।୬ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଯୁଦ୍ଧରେ ଅଣାଯାଇଥିବା ଭଡା ସୈନିକ ୱାଗନର୍‌ ଗ୍ରୁପ୍ର ମୁଖ୍ୟ ୟେଭେଗେନି ପ୍ରିଗୋଜିନ ଦେଶର ନେତୃତ୍ୱକୁ ହଟାଇବାକୁ ଧମକ ଦେଇଛନ୍ତି। ୱାଗନର୍‌ ଗ୍ରୁପର ଯୋଦ୍ଧାମାନେ ରାଜଧାନୀ ମସ୍କୋ ଆଡକୁ ଯାଉଛନ୍ତି। ଏଥି ସହିତ ୱାଗନର୍‌ ଗ୍ରୁପ୍ର ବିଦ୍ରୋହ ଏବଂ ବିଭିନ୍ନ ସହରରେ ସାମରିକ ବେସ ଦଖଲ ହେବାର ଖବର ମଧ୍ୟରେ ରୁଷିଆର ରାଷ୍ଟ୍ରପତି ପୁଟିନ ଚେତାବନୀ ଦେଇଛନ୍ତି। ଓ୍ବଗନର ଗ୍ରୁପ୍‌ ବିଶ୍ୱାସଘାତ କରିଛି। ଏହା ଉଚିତ ଜବାବ ଦିଆଯିବ ବୋଲି ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଓ୍ବାଗନର ଗ୍ରୁପ୍‌ ପଛଘୁଞ୍ଚା ଦେଇଛି। ରୁଷିଆ ନିଜର ଭବିଷ୍ୟତ ପାଇଁ ସମ୍ପୂର୍ଣ୍ଣ ଶକ୍ତି ସହ ସଂଗ୍ରାମ କରୁଛି। ଆମର ଉତ୍ତର ଆହୁରି କଠୋର ହେବ। ଯିଏ ଦେଶର ସୈନ୍ୟ ବିରୁଦ୍ଧରେ ଅସ୍ତ୍ର ଉଠାଇବ ତାଙ୍କୁ ଦଣ୍ଡ ଦିଆଯିବ। ରୁଷିଆର ସୁରକ୍ଷା ପାଇଁ ସେ ସବୁକିଛି କରିବେ ଏବଂ ରୋଷ୍ଟୋଭ-ଅନ-ଡନରେ ସ୍ଥିତିକୁ ସ୍ଥିର କରିବା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନିଆଯିବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରିଗୋଜିନ୍ର ଯୋଦ୍ଧାମାନେ ରୁଷିଆ ସେନାର ମୁଖ୍ୟାଳୟ ରୋଷ୍ଟୋଭ-ଅନ-ଡନକୁ ଦଖଲ କରିଛନ୍ତି। ଏଥିସହ ପ୍ରିଗୋଜିନଙ୍କ ଧମକ ପରେ ତୁରନ୍ତ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ପ୍ରତିକ୍ରିୟା ପ୍ରକାଶ କରିଛି ଏବଂ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହଯୋଗୀଙ୍କ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଥିବା ୟେଭେଗେନି ପ୍ରିଗୋଜିନ ବର୍ତ୍ତମାନ ଖୋଲାଖୋଲି ଭାବେ ରୁଷିଆର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ୱାଗନର୍‌ ଗ୍ରୁପ ବିଦ୍ରୋହ ପରେ ରାଜଧାନୀ ମସ୍କୋର ସୁରକ୍ଷା ବୃଦ୍ଧି କରାଯାଇଛି। ମସ୍କୋର ମେୟର କହିଛନ୍ତି ରାଜଧାନୀରେ ଆତଙ୍କବାଦ ବିରୋଧୀ ପଦକ୍ଷେପ ନିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି।

Share