ବହୁ ଚର୍ଚ୍ଚିତ ଆମେରିକା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ୱାଶିଂଟନ,୧ ।୧: ଆମେରିକା ନାଗରିକଙ୍କୁ ୭ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ମନୋରଞ୍ଜନ ଦେଉଥିବା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କର ୯୯ ବର୍ଷ ବୟସରେ ପରଲୋକ ହୋଇଛି । ସେ ତାଙ୍କର ଟେଲିଭିଜନ କ୍ୟାରିୟର ‘ଦ ଗୋଲଡେନ ଗର୍ଲସ’ ଓ ‘ଦ ମେରି ଟୟଲର ମୁର ଶୋ’ରୁ ଆରମ୍ଭ କରିଥିଲେ । ଏମି ଆୱାର୍ଡ ୱିନର କମେଡିଆନ ବିଟ୍ଟି ଆମେରିକା ଟେଲିଭିଜନ ଇତିହାସରେ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଅଭିନୟ କରିଥିବା ଅଭିନେତ୍ରୀ । ସେ ପ୍ରଥମଥର ୧୯୪୯ରେ ଟେଲିଭିଜନରେ ଦେଖାଯାଇଥିବା ବେଳେ ୨୦୧୯ରେ ‘ଟୟ ଷ୍ଟୋରୀ ୪’ରେ ଶେଷଥର ପାଇଁ ତାଙ୍କ କଣ୍ଠସ୍ୱର ଶୁଣାଯାଇଥିଲା । ଅଭିନେତ୍ରୀଙ୍କ ଏଜେଣ୍ଟ ଜେଫ ୱିଟଜାସ ପିପଲ ମାଗାଜିନକୁ ଦେଇଥିବା ଏକ ବୟାନରେ କହିଥିଲେ କି ବିଟ୍ଟି ଖୁବଶୀଘ୍ର ୧୦୦ ବର୍ଷରେ ପାଦ ଦେବେ । ସେ ସବୁବେଳେ ଆମ ଭିତରେ ରହିବେ । ତେବେ ମୃତ୍ୟୁକୁ କେବେ ଭୟ କରୁ ନ ଥିବା ବିଟ୍ଟି ସର୍ବଦା ତାଙ୍କ ମୃତ ସ୍ୱାମୀ ଏଲନ ଲୁଡେନଙ୍କୁ ମନେ ପକାଉଥିଲେ । ଆଉ ଖୁବଶୀଘ୍ର ସେ ତାଙ୍କ ସ୍ୱାମୀଙ୍କ ନିକଟକୁ ଯିବେ ବୋଲି ବିଶ୍ୱାସ ରଖିଥିଲେ । ବିଟ୍ଟିଙ୍କ ମୃତ୍ୟୁରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସୂଚନାଯୋଗ୍ୟ, ଅଭିନେତ୍ରୀ ତାଙ୍କ ନିଜ ଘରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Share