ଶୌଚାଳୟ-ସାଧାରଣ ବସ୍‌ ସେବାକୁ ସାବଧାନ…

ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦିନକୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ହାଇଦାବ୍ରାଦ୍‌ର ସେଣ୍ଟର ଫର୍‌ ସେଲୁଲାର ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜିର ୧୭ ଜଣ ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାର ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, କରୋନା ସଂକ୍ରମଣ ହେବାର ରେଡ୍‌ ‌ ଜୋନ୍‌ ହେଉଛି ସର୍ବସାଧାରଣଙ୍କ ଲାଗି ଉଦ୍ଦିଷ୍ଟ ଥିବା ଶୌଚାଳୟ ଏବଂ ସାଧାରଣ ବସ୍‌ ସେବା। ଶୌଚାଳୟରେ ୩୦ ମିନିଟ୍‌ ପର୍ଯ୍ୟନ୍ତ କରୋନା ଭୁତାଣୁ ସକ୍ରିୟ ରହିପାରେ। ତେଣୁ ଅଧଘଣ୍ଟା ଧରି କେହି ବ୍ୟବହାର କରି ନ ଥିବା ଶୌଚାଳୟକୁ ଯିବା ଆବଶ୍ୟକ। ଶୌଚାଳୟକୁ ଯିବା ସମୟରେ ମାସ୍କ୍‌ ପିନ୍ଧିବା ସହିତ ଏହାପରେ ସାବୁନ ଅବା ହ୍ୟାଣ୍ଡ୍‌ ଓ୍ବାସ୍‌ରେ ହାତ ଧୋଇବା ଜରୁରୀ। ସେହିପରି ସାଧାରଣ ପରିବହନ ସେବାରେ ବ୍ୟବହୃତ ହେଉଥିବା ବସ୍‌ରେ ଅଧିକ ଦୂର ଯାତ୍ରା ନ କରି ବିଭିନ୍ନ ବସ୍‌ ପରିବର୍ତ୍ତନ କରିବା ଉଚିତ। ଏକାଦିକ୍ରମେ ୩୦ ମିନିଟ୍‌ କୌଣସି ବସ୍‌ରେ ଯାତ୍ରା କରିବା ଉଚିତ ନୁହେଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଯଦି ବସ୍‌ରେ କୌଣସି କରୋନା ଆକ୍ରାନ୍ତ ଥାନ୍ତି ତେବେ ମାସ୍କ୍‌ ପିନ୍ଧିଥିବା ସୁସ୍ଥ ଲୋକ ଅଧଘଣ୍ଟା ପାଇଁ ସୁରକ୍ଷିତ ରହିବାର ସମ୍ଭାବନା ରହିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share