ପିଙ୍କ୍‌ ହ୍ବାଟ୍ସଆପ୍‌କୁ ସାବଧାନ

ଭୁବନେଶ୍ୱର,୯।୭(ସୂର୍ଯ୍ୟକାନ୍ତ ବେହେରା)ଆପଣଙ୍କ ମୋବାଇଲକୁ ପିଙ୍କ୍‌ ହ୍ବାଟ୍ସଆପ୍‌ ଲିଙ୍କ ଆସୁଛି କି ? ତା’ହେଲେ ସାବଧାନ ରୁହନ୍ତୁ। ନ ହେଲେ ଠକ ପଠାଇଥିବା ଲିଙ୍କ୍‌ରେ କ୍ଲିକ କଲେ କ୍ଷଣିକ ଭିତରେ ଆପଣଙ୍କ ମୋବାଇଲକୁ ନିଜ ନିୟନ୍ତ୍ରଣକୁ ନେଇଯିବେ ସାଇବର ହ୍ୟାକର। ଫଳରେ ଆପଣଙ୍କ ଫୋନ୍‌ରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି। ସାଇବର ଠକମାନେ ଏଭଳି ତରିକାରେ ମୋବାଇଲକୁ ହ୍ବାଟ୍ସଆପ୍‌ ଅପଡେଟ୍‌ କରିବା ଆଳରେ ପିଙ୍କ୍‌ ହ୍ବାଟ୍ସଆପ୍‌ ଲିଙ୍କ ପଠାଇ ନୂଆ କୌଶଳରେ ଚକମା ଦେବାକୁ ଉଦ୍ୟମ କରୁଛନ୍ତି। ତେଣୁ ଭୁଲରେ ବି ସେହି ଲିଙ୍କରେ କ୍ଲିକ କରନ୍ତୁ ନାହିଁ। ଏନେଇ ଓଡିଶା ପୋଲିସ ପକ୍ଷରୁ ଟୁଇଟ୍‌ କରି ରାଜ୍ୟବାସୀଙ୍କୁ ସତର୍କ କରାଯାଇଛି। ଏହା ପୂର୍ବରୁ ମଧ୍ୟ ମୁମ୍ବାଇ ପୋଲିସ ପକ୍ଷରୁ ଏନେଇ ସତର୍କତା ଜାରି କରାଯାଇଥିଲା।

ପିଙ୍କ୍‌ ହ୍ବାଟ୍ସଆପ୍‌ କ’ଣ?
ପିଙ୍କ୍‌ ହ୍ବାଟ୍ସଆପ୍‌ ଗୁଗଲ ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ ନୁହେଁ। ହ୍ୟାକରମାନେ ଏହି ଆପ୍‌କୁ ଏକ ଲିଙ୍କ୍‌ ବା ୟୁଆର୍‌ଏଲ ମାଧ୍ୟମରେ ଭାଇରାଲ କରିଥାନ୍ତି। ତେବେ ହ୍ବାଟ୍ସଆପ୍‌ ଭଳି ଏହା ଅବିକଳ ଦେଖାଯାଇଥିଲେ ମଧ୍ୟ ଏହାର ରଙ୍ଗ ପିଙ୍କ୍‌ ବା ଗୋଲାପି ହୋଇଥିବାରୁ ଏହାକୁ ହ୍ୟାକର ପିଙ୍କ ନାଁ ଦେଇଛନ୍ତି। ଏହାକୁ ଡାଉନ୍‌ଲୋଡ କରିବା ପାଇଁ ଲୋକଙ୍କୁ ହ୍ୟାକରମାନେ ପ୍ରବର୍ତ୍ତାଇଥାନ୍ତି। କେହି ଯଦି ଏହାକୁ ନିଜ ମୋବାଇଲରେ ଡାଉନ୍‌ଲୋଡ କରିଥାନ୍ତି, ତା’ହେଲେ ମୋବାଇଲ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯାଏ। ଫଳରେ ଅନାୟାସରେ ମୋବାଇଲର ଇନବକ୍ସ ମେସେଜ ପଢିବାଠାରୁ ଆରମ୍ଭ କରି କଣ୍ଟାକ୍ଟ ନମ୍ବର ସବୁକିଛି ପାଇଥାନ୍ତି ହ୍ୟାକର। ତେଣୁ ଏଭଳି ଲିଙ୍କ୍‌ କ୍ଲିକ ନ କରିବା ଲାଗି ସାଇବର ବିଶେଷଜ୍ଞମାନେ ମଧ୍ୟ ପରାମର୍ଶ ଦେଇଛନ୍ତି।

Share