Categories: ମେଟ୍ରୋ

ଦର୍ଶକଙ୍କ ଭାବାବେଗକୁ ଛୁଇଁଲା ‘ବିୟଣ୍ଡ୍‌ ଦ ବ୍ଲୁଜ୍‌’

ଭୁବନେଶ୍ୱର,୨୪।୯(ଶର୍ମିଷ୍ଠା ପାଣିଗ୍ରାହୀ): ଫିଲ୍ମ ସୋସାଇଟି ଭୁବନେଶ୍ୱର ପକ୍ଷରୁ ୩ଦିନିଆ ଚତୁର୍ଥ ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ(ଆଇଏଫ୍‌ଏଫ୍‌ବି) ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଆୟୋଜିତ ହୋଇଛି। ଚଳିତବର୍ଷ ଅସମାନତା, ଜାତି, ଶ୍ରେଣୀ, ଲିଙ୍ଗ, ପରିବେଶ ବିଜ୍ଞାନ ସମସ୍ୟା ଉପରେ ନିର୍ମିତ ଇଣ୍ଡିଆନ୍‌ ନନ୍‌-ଫିକ୍ସନାଲ୍‌ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି। ଏହି ଉତ୍ସବରେ ୨୫ଟି ଚଳଚ୍ଚିତ୍ରର ପ୍ରଦର୍ଶନ ହେବାକୁଥିବାବେଳେ ସୁବାଶ୍ରୀ କ୍ରୀଷ୍ଣନ୍‌ଙ୍କ ‘ହ୍ବାଟ୍‌ ଦି ଫିଲ୍ଡସ୍‌ ରିମେମ୍ବର’ରୁ ଶନିବାର ଦ୍ୱିତୀୟ ଦିବସର ପ୍ରଦର୍ଶନ ଆରମ୍ଭ ହୋଇଥିଲା। ବଙ୍ଗଳା ଓ ଇଂଲିଶ ଭାଷାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ୧୯୮୩ ଆସାମ ନିଲେ ଗଣହତ୍ୟା ଉପରେ ଆଧାରିତ। ଏଥିରେ ୩ରୁ ୪ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହି ସ୍ମୃତି ଓ ସେମାନଙ୍କ ପରିବାର ଆଜି ବି କିଭଳି ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ମିଳିଛି। ଭାରତର ଏକ ଐତିହାସିକ ବିବାଦକୁ ଚଳଚ୍ଚିତ୍ରରେ ଦେଖି ଦର୍ଶକଙ୍କ ଲୋମ ଟାଙ୍କୁରି ଉଠିଥିଲା। ଏହା ପରେ ଦେବଲିନା ମଜୁମଦାର୍‌ଙ୍କ ଚଳଚ୍ଚିତ୍ର ‘ବିୟଣ୍ଡ୍‌ ଦ ବ୍ଲୁଜ୍‌’ ଦର୍ଶକଙ୍କୁ ଆଉଏକ ସାମାଜିକ କାହାଣୀ କହିଥିଲା। ବଙ୍ଗଳା ଭାଷାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ହେଉଛି – ନିଲ୍‌ ବୋଲି ଜଣେ ପିଲା ଥିଲା। ଯିଏ ନିଜର ଲିଙ୍ଗଗତ ସମସ୍ୟା ପାଇଁ ଅନେକ ସମସ୍ୟାର ସାମ୍ନା କରୁଥିଲା। ଶେଷରେ ତାକୁ ଘରୁ ମଧ୍ୟ ବାହାରି ଯିବାକୁ ପଡ଼ିଲା। ହେଲେ ବାହାରେ ସେ କିପରି ମୁଣ୍ଡଗୁଞ୍ଜିବାକୁ ସଂଘର୍ଷ କରିଥିଲା ତାହା ଥିଲା କାହଣୀର ପୃଷ୍ଠଭୂମି। ଏହି ଫିଲ୍ମ ଦର୍ଶକଙ୍କ ଭାବାବେଗକୁ ଖୁବ୍‌ ଛୁଇଁଥିଲା। ପରବର୍ତ୍ତୀ ପ୍ରଦର୍ଶନରେ ନୌସିନ ଖାନ୍‌ଙ୍କ ଫିଲ୍ମ ‘ଲ୍ୟାଣ୍ଡ୍‌ ଅଫ୍‌ ମାଇଁ ଡ୍ରିମସ୍‌’ ହିନ୍ଦୁସ୍ତାନୀ ଭାଷାରେ ପ୍ରଦର୍ଶିତ ହୋଇଥିଲା। ୨୦୧୯ରେ ସିଟିଜେନ୍‌ଶିପ୍‌ ଆମେଣ୍ଡ୍‌ମେଣ୍ଟ ଆକ୍ଟକୁ ଶାହିନ ବାଗ୍‌ରେ ବିରୋଧ କରିଥିବା ମହିଳାଙ୍କୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ। ଏହା ପରେ ଆରୟାଙ୍କ ଦ୍ୱାରା ପ୍ରସ୍ତୁତ ‘ଏ ରାଇଫଲ୍‌ ଆଣ୍ଡ୍‌ ବ୍ୟାଗ୍‌’ ଓ ଶେଷରେ ପ୍ରିୟଙ୍କା ଛାବ୍ରାଙ୍କ ‘ଇକ୍ରାନାମ’ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଉତ୍ସବର ନିର୍ଦ୍ଦେଶକ ତଥା ଭୁବନେଶ୍ୱର ଫିଲ୍ମ ସୋସାଇଟିର ସଭାପତି ସୁବ୍ରତ ବେଉରା ଇଣ୍ଡିପେଣ୍ଡେଣ୍ଟ୍‌ ନନ୍‌-ଫିକ୍ସନ ଚଳଚ୍ଚିତ୍ରରେ ଏକ୍ସପେରିମେଣ୍ଟାଲ ଓ ନ୍ୟାରେଟିଭ୍‌ ଷ୍ଟୋରୀର ଗୁରୁତ୍ୱ ସମ୍ପର୍କରେ ମତ ଦେଇଥିଲେ।

Share