Categories: ବାଣିଜ୍ୟ

ବେଜୋସ୍‌ ବିଶ୍ୱର ୧ ନମ୍ବର ଧନୀ

ନୂଆଦିଲ୍ଲୀ,୭।୩:  ଫୋର୍ବସ୍‌ ରିୟଲ ଟାଇମ୍‌ ବିଲିୟନେୟାର ସୂଚୀ ଅନୁସାରେ ଆମାଜନ ସିଇଓ ଜେଫ୍‌ ବେଜୋସ୍‌ (୧୭୫.୪ ବିଲିୟନ ଡଲାର) ସହ ବିଶ୍ୱର ୧ନମ୍ବର ଧନୀ ବ୍ୟକ୍ତି ଭାବରେ ପୁଣି ଥରେ ସୂଚୀକୁ ଫେରିଛନ୍ତି। ଦୀର୍ଘ ମାସ ଧରି ଧନୀ ତାଲିକାରେ ଶୀର୍ଷରେ ରହିଥିବା ଜେଫ୍‌ଙ୍କୁ ହଟାଇ ଏଲନ୍‌ ମସ୍କ ଜାନୁୟାରୀ ୨୦୨୧ରେ ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତିର ମାନ୍ୟତା ହାସଲ କରିଥିଲେ। ବେଜୋସ୍‌ଙ୍କୁ ପଛରେ ପକାଇ ୧ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିବା ଟେସ୍‌ଲା କାର୍‌ ଓ ସ୍ପେସ୍‌ ଏକ୍ସ ସିଇଓ ଏଲନ୍‌ ମସ୍କଙ୍କ ସମ୍ପତ୍ତି ଶୁକ୍ରବାର ୨୭ ବିଲିୟନ ଡଲାର କ୍ଷତି ହୋଇଥିବା ବେଳେ ମାର୍କେଟ୍‌ କ୍ୟାପ୍‌ ମଧ୍ୟ ଖସିଛି। ଫଳରେ ଗତ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ମସ୍କ ବିଶ୍ୱର ଧନୀ ବ୍ୟକ୍ତିଙ୍କ ସୂଚୀର ୧ ନମ୍ବର ସ୍ଥାନରେ ଥିଲେ। ତେବେ ବିଟ୍‌ କଏନ୍‌ର ନିବେଶ ଓ କାରବାର ମାନ୍ଦା କାରଣରୁ ସେ ଏହି ସୂଚୀର ତୃତୀୟ ସ୍ଥାନକୁ ଚାଲିଆସିଛନ୍ତି। ସବୁଠାରୁ ଗୁରୁତ୍ୱର ବିଷୟ ହେଉଛି ବିଶ୍ୱ ଧନୀ ତାଲିକାରେ ବହୁ ତଳେ ଥିବା ଫରାସୀ ବ୍ୟବସାୟୀ ବର୍ନାଡ୍‌ ଆର୍ନଲ୍ଟ (୧୫୫.୬ ବିଲିୟନ ଡଲାର) ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତିର ମାନ୍ୟତା ହାସଲ କରିଛନ୍ତି। ଚଳିତ ସପ୍ତାହରେ ଏଲନ୍‌ଙ୍କ କମ୍ପାନୀ ଶେୟାର ମୂଲ୍ୟ ହ୍ରାସ ପାଇବା ସହ ସପ୍ତାହ ମଧ୍ୟରେ ତାଙ୍କର ୨୭ ବିଲିୟନ ଡଲାର କ୍ଷତି ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ଶେଷ ହୋଇଥିବା ସପ୍ତାହରେ ଏଲନ୍‌ଙ୍କ କମ୍ପାନୀ ଶେୟାର ନାସ୍‌ଦାକ୍‌ ୧୦୦ ସୂଚୀରେ ତଳକୁ ଖସିବା ଯୋଗୁ ସେ ମଧ୍ୟ ତଳକୁ ଖସିଛନ୍ତି। ଜାନୁୟାରୀରେ ଏଲନ୍‌ଙ୍କ ସମ୍ପତ୍ତି ୨୧୦ ବିଲିୟନ ଡଲାରରେ ଥିବା ବେଳେ ବର୍ତ୍ତମାନ ତାଙ୍କ ସମ୍ପତ୍ତିରେ ୬.୨ ବିଲିୟନ ଡଲାରର ହ୍ରାସ ହୋଇଛି। ଯେତେବେଳେ ବଜାରରେ ଟେସ୍‌ଲା ଶେୟାର ମୂଲ୍ୟ ବଢୁଥିଲା ଏଲନ୍‌ଙ୍କ ବିଟ୍‌ କଏନ୍‌ ନିବେଶ ତାଙ୍କୁ ଧନୀରୁ ଆହୁରି ଧନୀ କରିଦେଇଥିଲା। ନିକଟରେ ଏଲନ୍‌ ବିଟ୍‌ କଏନ୍‌ରେ ୧.୫ ବିଲିୟନ ଡଲାର ନିବେଶ କରିଥିବା ଘୋଷଣା କରିଥିଲେ। ଏହାର କିଛିଦିନ ମଧ୍ୟରେ ବିଟ୍‌ କଏନ୍‌ର ମୂଲ୍ୟ ହ୍ରାସ ଯୋଗୁ ତାଙ୍କୁ ୧୫ ବିଲିୟନ ଡଲାର କ୍ଷତି ସହିବାକୁ ପଡ଼ିଛି।

Share