ଭୁବନେଶ୍ୱର,୭।୯: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ଭୁବନେଶ୍ୱର ଏବଂ ତାଞ୍ଜାନିଆସ୍ଥିତ ଡାର୍-ଏସ୍-ସଲାମର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫାଇନାନ୍ସ ମ୍ୟାନେଜମେଣ୍ଟ (ଆଇଏଫ୍ଏମ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ସହ ଚୁକ୍ତିପତ୍ର ନିକଟରେ ସ୍ବାକ୍ଷରିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ବିଜିୟୁର କୁଳପତି ପ୍ରଫେସର ପି.ପି.ମାଥୁର ଏବଂ ଆଇଏଫ୍ଏମ୍ର ପ୍ରଫେସର ଜୋସେଫଟ୍ ଡାନିଏଲ ଲୋଟୋ ଉକ୍ତ ଚୁକ୍ତିପତ୍ର ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ବିଜିୟୁର ରେଜିଷ୍ଟ୍ରାର ପ୍ରଫେସର ବି.କେ.ଦାସ, ବିର୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଡିନ୍ ପ୍ରଫେସର ପି.ନାୟକ, ବିର୍ଲା ସ୍କୁଲ ଅଫ୍ କମର୍ସର ଡିନ୍ ପ୍ରଫେସର ସାମସନ ମହାରଣା, ଆଇଏଫ୍ଏମ୍ର ପ୍ରଫେସର ଟେଡୋ ସଟ୍ଟା, ଆଇଏଫ୍ଏମ୍ର ବରିଷ୍ଠ ଅଧ୍ୟାପକ ବର୍ନାଡ ମଞ୍ଜଭା, ବିଜିୟୁର ଆସୋସିଏଟ୍ ପ୍ରଫେସର ପି.କେ. ସନ୍ନ୍ୟାଲ, ଇଣ୍ଟରନ୍ୟାଶନାଲ ରିଲେଶନ୍ସ କମିଟିର ଅଧ୍ୟକ୍ଷ ତଥା ଆସୋସିଏଟ୍ ପ୍ରଫେସର ଡ. ଅର୍ଚ୍ଚନା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ବିଶେଷକରି ଏହି ଦୁଇ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତିପତ୍ର ଅନ୍ତର୍ଜାତୀୟ ବୁଝାମଣାକୁ ସୁଦୃଢ଼ କରିବା ସହ ରିସର୍ଚ୍ଚ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ, ଯାହା ଉଭୟ ଶିକ୍ଷାନୁଷ୍ଠାନ ପାଇଁ ବେଶ୍ ସହାୟକ ହେବ। ଉଲ୍ଲେଖଯୋଗ୍ୟ, ଆଇଏଫ୍ଏମ୍ ହେଉଛି ଡାର୍-ଏସ୍-ସଲାମ, ତାଞ୍ଜାନିଆର ଏକ ସରକାରୀ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ, ଯାହା ବ୍ୟାଙ୍କିଙ୍ଗ୍, ବୀମା, ସାମାଜିକ ସୁରକ୍ଷା, ଟିକସ ଏବଂ ଆକାଉଣ୍ଟିଂ କ୍ଷେତ୍ରରେ ଟ୍ରେନିଂ, ରିସର୍ଚ୍ଚ ଏବଂ ପରାମର୍ଶ ପ୍ରଦାନ କରିବା ପାଇଁ ୧୯୭୨ରେ ପ୍ରତିଷ୍ଠା ହୋଇଥିଲା।