ବିବାହର ଠିକ୍‌ ପୂର୍ବରୁ ଭାଙ୍ଗିଥିଲେ ନିର୍ବନ୍ଧ ! ବିବାଦ ଭିତରେ ‘ଭାବି ଜି ଘର ପେ ହୈ’ ଶୋ’ ଛାଡ଼ିଥିଲେ ଏହି ଅଭିନେତ୍ରୀ

ବମ୍ବେ: ‘ଭାବି ଜି ଘର ପେ ହେ’ ଶୋ’ରେ ଅଙ୍ଗୁରୀ ଭାବି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ଶିଳ୍ପା ସିନ୍ଦେ। ଆଜି ସେ ନିଜର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନୟ ସହ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିବା ଶିଳ୍ପାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।
ଏକଦା ସବୁଠାରୁ ଲୋକପ୍ରିୟ ଥିଲେ ଶିଳ୍ପା। ଦର୍ଶକ ତାଙ୍କର ଚୁଲବୁଲି ସ୍ବଭାବ, ଡାଏଲଗ୍‌ ‘ସହି ପକଡେ ହେ’ କୁ ପସନ୍ଦ କରୁଥିଲେ। ହେଲେ ସେ ହଠାତ ଶୋ’ ଛାଡ଼ି ସମସ୍ତଙ୍କୁ ଚମକାଇ ଦେଇଥିଲେ। କାରଣ ପାଉଣାକୁ ନେଇ ନିର୍ମାତାଙ୍କ ସହ ତାଙ୍କର କଥା କଟାକଟି ହୋଇଯାଇଥିଲା। ଏପରିକି ସହ କଳାକାରଙ୍କ ସହ ତାଙ୍କର ବିବାଦ ହୋଇଥିଲା। ମାନସିକ ଶୋଷଣ କରାଯାଉଥିବା ଶିଳ୍ପା ଅଭିଯୋଗ କରିଥିଲେ ହେଁ ନିର୍ମାତାମାନେ ଶିଳ୍ପାଙ୍କ ବ୍ୟବହାର ଉଚିତ ନ ଥିବା କହିଥିଲେ।
ବିଗ୍‌ବସ୍‌ ୧୧ରେ ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ ଶିଳ୍ପା। ସେଥିରେ ବିକାଶ ଗୁପ୍ତା ଓ ତାଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା। ବିକାଶଙ୍କ କାରଣରୁ ଭାବି ଜି ଘର ପେ ହୈ ଶୋ’ ଛାଡ଼ିଥିବା ନେଇ ସେ କହିଥିଲେ। କେବଳ ଏତିକି ନୁହେଁ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ସେ ସମ୍ପର୍କରେ ଥିବା ନେଇ କହି ସମସ୍ତଙ୍କୁ ଚମକାଇ ଦେଇଥିଲେ। ତେବେ ଏକାଠି ରହିବା ସମୟରେ ସିଦ୍ଧାର୍ଥ ଗାଳି କରିବା ସହ ମାରପିଟ କରୁଥିବା ସେ ଅଭିଯୋଗ କରିଥିଲେ।
ନିଜଠାରୁ ବୟସରେ ୩ ବର୍ଷ ସାନ ରୋମିତ ରାଜଙ୍କୁ ଡେଟ୍‌ କରିଥିଲେ ଶିଳ୍ପା। ଉଭୟଙ୍କ ନିର୍ବନ୍ଧ ମଧ୍ୟ ହୋଇଥିଲା। ୨୦୦୯ ନଭେମ୍ବର ୨୯ରେ ସେମାନଙ୍କ ବିବାହ ହୋଇଥାନ୍ତା। ହେଲେ ବିବାହର କିଛି ଦିନ ପୂର୍ବରୁ ଶିଳ୍ପା ନିର୍ବନ୍ଧ ଭାଙ୍ଗି ଦେଇଥିଲେ।
Share