ଭଦ୍ରକ ଡେଙ୍ଗୁ ଆତଙ୍କ: ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା

ଭଦ୍ରକ,୨୭ା୮(ସନାତନ ରାଉତ): ଭଦ୍ରକ ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨ ମାସ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। ଜୁଲାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଥିବାବେଳେ ଅଗଷ୍ଟରେ ଏପର୍ଯ୍ୟନ୍ତ ୭୬ରେ ପହଞ୍ଚିଛି। ଏବେ ସୁଦ୍ଧା ଜିଲାରେ ମୋଟ ୧୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଏପ୍ରିଲରେ ଜଣେ, ମେ ରେ ୭ ଓ ଜୁନ୍‌ରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମୋଟ ୧୧୭ ଆକ୍ରାନ୍ତଙ୍କ ମଧ୍ୟରୁ ବାହାରୁ ଆସିଥିବା ୫୮ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୯ଜଣ ଚିହ୍ନଟ ହୋଇଛନ୍ତି।

ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଜିଲାର ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ସର୍ବାଧିକ ୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ୧୬, ତିହିଡ଼ି ଅଧୀନରେ ୧୭, ବରପଦାରେ ୧୧, ଧାମନଗରରେ ୧୨, ବାସୁଦେବପୁରରେ ୧୪, ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ସର୍ବନିମ୍ନ ୫ ଓ ଭଦ୍ରକ ପୌରପାଳିକାରେ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚାନ୍ଦବାଲି ଅଞ୍ଚଳକୁ ବେଶୀ ଗୁରୁତ୍ୱ ଦିଆଯାଇ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଟିମ୍‌ ପଠାଯାଇଥିବା ବେଳେ ଅନ୍ୟ ସମସ୍ତ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯିବା ସହ ଆକ୍ରାନ୍ତମାନଙ୍କୁ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଛି। ସେସବୁ ଅଞ୍ଚଳରେ ପରିବେଶ ପରିଷ୍କାର ରଖିବା ସହ ମଶା ବଂଶ ବୃଦ୍ଧି ନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଭାତ କୁମାର ବେହେରା କହିଛନ୍ତି।