Advertisement

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସର ଭେଟେରାନ ଲିଡର ଅନନ୍ତ ପ୍ରାର୍ଥୀ ହେବା ପରେ ଏହି ଆସନ ପାଇଁ ଏଥର ତ୍ରିମୁଖୀ ଲଢ଼େଇ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପ୍ରମୁଖ ଦଳଗୁଡ଼ିକର ପ୍ରାର୍ଥୀ ଘୋଷଣା ପରେ ଏବେ ରାଜନୈତିକ ମହଲ ସରଗରମ ହେବାରେ ଲାଗିଛି। ୧୯୮୪ରେ ଅନନ୍ତ ଭଦ୍ରକ ଲୋକସଭା ଆସନରୁ ଏମ୍‌ପି ହୋଇଥିଲେ। ୨୦୧୯ ନିର୍ବାଚନରେ ତାଙ୍କ ଝିଅ ମଧୁମିତା ସେଠୀ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ସେ ୨ ଲକ୍ଷ ୭ ହଜାର ୮୧୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଏଥର ଦଳ ଝିଅ ବଦଳରେ ବାପାଙ୍କୁ ଭରସା କରିଛି।

ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ବାଲେଶ୍ୱର ଜିଲାର ସୋର ଓ ସିମୁଳିଆ ବିଧାନସଭା କ୍ଷେତ୍ରକୁ ନେଇ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ। ୧୯୯୮ଠାରୁ ଲଗାତର ବିଜେଡି ଦଖଲରେ ଭଦ୍ରକ ଲୋକ ସଭା ଆସନ ରହିଥିବା ବେଳେ ୨୦୧୯ ନିର୍ବାଚନରେ ଦଳର ବିଜୟ ବ୍ୟବଧାନ ବହୁମାତ୍ରାରେ ହ୍ରାସ ପାଇଥିଲା। ଭାଜପାରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅର୍ଜୁନ ଚରଣ ସେଠୀଙ୍କ ପୁଅ ଅଭିମନ୍ୟୁ ମାତ୍ର ୨୮,୮୦୩ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କଠାରୁ ପରାଜିତ ହୋଇଥିଲେ।

ଅଭିମନ୍ୟୁଙ୍କୁ ୪ ଲକ୍ଷ ୮୩ ହଜାର ୫୦୨ ଭୋଟ ମିଳିଥିବା ବେଳେ ମଞ୍ଜୁଲତାଙ୍କୁ ୫ ଲକ୍ଷ ୧୨ ହଜାର ୩୦୫ ଭୋଟ ମିଳିଥିଲା। ଭାଜପା ଦ୍ୱିତୀୟ ସ୍ଥାନରେ ରହିଥିଲା ଏବଂ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଥିଲା। ଅଳ୍ପ ବ୍ୟବଧାନରେ ଭାଜପା ହାରିଥିବାରୁ ଏଥର ଏହି ଆସନକୁ ଦଳ ପକ୍ଷରୁ ଫୋକସ୍‌ରେ ରଖାଯାଇଥିବା ଚର୍ଚ୍ଚା ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share