ଭଦ୍ରକ ଅଫିସ,୨୭।୧୦: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ୪ର୍ଥ ଦିନ ଗୁରୁବାର ସିଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କ ଏହି ବେଶ ଦର୍ଶନ ପାଇଁ ପୀଠରେ ଦିନତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା। ମା’ଙ୍କ ବାହନ ସିଂହ ହୋଇଥିବା ବେଳେ ନାଲିପାଟ ବସ୍ତ୍ର ପରିଧାନ କରି ସ୍ବର୍ଣ୍ଣ, ରୌପ୍ୟ ଅଳଙ୍କାରରେ ସୁସଜ୍ଜିତ ହୋଇ ମା’ ଭଦ୍ରକାଳୀ ପୂଜା ପାଇଥିଲେ। ଚାରିହସ୍ତରେ ଖଡ୍ଗ, ତ୍ରିଶୂଳ, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇଥିବା ମା’ଙ୍କ ସିଂହବାହିନୀ ବେଶକୁ ଦର୍ଶନ କଲେ ଗ୍ରହଦଶା, ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ଶୁକ୍ରବାର ୫ମ ଦିନରେ ମା’ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେବେ।