ଭାଗବତର ଆହ୍ବାନ

ଗୋ ଶ୍ରୀମଦ୍‌ ଭାଗବତର ସ୍ଥାନ ଓ ଆହ୍ବାନ ବିଚାର୍ଯ୍ୟ। ଭାରତୀୟ ପ୍ରଜ୍ଞାମାନସ ବେଦରୂପୀ କଳ୍ପବୃକ୍ଷର ପରିପକ୍ୱ ସୁମିଷ୍ଟ ଫଳ ‘ଭାଗବତ’ ମୁକ୍ତିମାର୍ଗର ସୋପାନ। ଭଗବାନଙ୍କ ସାକ୍ଷାତ ଶବ୍ଦମୟୀ ମୂର୍ତ୍ତି। ସନାତନ ସଂସ୍କୃତିର ଅମୂଲ୍ୟରନତ୍। ଅଷ୍ଟାଦଶ ପୁରାଣମାନଙ୍କ ମଧ୍ୟରେ ଶ୍ରୀମଦ୍‌ ଭାଗବତ ମହାପୁରାଣର ସ୍ଥାନ ସ୍ବତନ୍ତ୍ର। ଏହା ଭଗବାନଙ୍କର ମୁଖ ନିଃସୃତ ବାଣୀ, ଯାହାକି ଗୁରୁଶିଷ୍ୟ ପରମ୍ପରା। କ୍ରମେ ବ୍ରହ୍ମା, ନାରଦ, ବ୍ୟାସଦେବ, ଶୁକ ମହର୍ଷି ଆଦିଙ୍କ ମାଧ୍ୟମରେ ଆଜିର ମଣିଷ ପାଇଁ ସୁଲଭ ହୋଇପାରିଛି। ମହର୍ଷି ବ୍ୟାସଦେବ ଉପନିଷଦ, ବ୍ରହ୍ମସୂତ୍ର, ଶପ୍ତଦଶ ପୂରାଣ ରଚନା କରି ସାରିବା ପରେ ମଧ୍ୟ ପରମ ଶାନ୍ତି ପାଇ ପାରି ନାହାନ୍ତି। ମହର୍ଷି ନାରଦଙ୍କୁ ଏହି ଅଶାନ୍ତି ଅତୃପ୍ତିର କାରଣ ଜିଜ୍ଞାସା କରି ବ୍ୟାସଦେବ କହିଲେ, ଆପଣ ନିଜେ ତ୍ରିକାଳଦର୍ଶୀ। ଆପଣ ଏ ଅଶାନ୍ତିରୁ ମୁକ୍ତିର ମାର୍ଗ ମତେ ଦେଖାଇ ଦିଅନ୍ତୁ। ନାରଦ କହିଲେ ଆପଣ ଧର୍ମ, ଅର୍ଥ, କାମ, ମୋହ ଚତୁବର୍ଗଙ୍କୁ ପୁରାଣମାନଙ୍କରେ ସନ୍ନିବିଷ୍ଠ କରିଛନ୍ତି କିନ୍ତୁ ରସରାଜ ଶ୍ରୀକୃଷ୍ଣଙ୍କର ରସଭରା ଲୀଳା ବର୍ଣ୍ଣନା କରିନାହାନ୍ତି। ତାଙ୍କ ରସମୟ ଲୀଳାର ବର୍ଣ୍ଣନା ଆପଣଙ୍କୁ ଶାନ୍ତି ଓ ତୃପ୍ତି ଦେଇପାରିବ। ଏହା ହିଁ ଶ୍ରୀମଦ୍‌ ଭାଗବତର ଉତ୍ସ। ମହାମୁନି ବ୍ୟାସ ସଂସ୍କୃତରେ ଲୀଳାମୟଙ୍କ ରସମୟ ଲୀଳା ବର୍ଣ୍ଣନା କରି ତାଙ୍କ ପ୍ରିୟପୁତ୍ର ଶୁକମୁନିଙ୍କୁ ଶୁଣାଇଲେ। ତାଙ୍କ ମୁଖରୁ ସୈବତ ଆଦି ମୁନିଋଷିମାନେ ଏହାର ଗୂଢ଼ ତତ୍ତ୍ୱ ଓ ରହସ୍ୟମୟ ଜାଣିଲେ। ପ୍ରଜାନୁରଞ୍ଜନ, ଧର୍ମପ୍ରାଣ ମହାରାଜ ପରିକ୍ଷିତ ଋଷିପୁତ୍ରଙ୍କ ଅଭିଶାପନର ପ୍ରମାଦଗ୍ରସ୍ତ ଅବସ୍ଥାରେ ପବିତ୍ର, ଗଙ୍ଗାକୂଳରେ ମୁନି ଋଷିଙ୍କ ନିକଟରେ ଉପସ୍ଥିତ ହେଲେ। ସାତଦିନ ମଧ୍ୟରେ ସର୍ପ ଦଂଶନରେ ତାଙ୍କର ମୃତ୍ୟୁ ଅନିବାର୍ଯ୍ୟ। ମୁନି ବାକ୍ୟ ଅନ୍ୟଥା ହେବନାହିଁ। ମହାମୁନି ଶୁକଙ୍କ ଚରଣରେ ମହାରାଜ ଶରଣ ଭିକ୍ଷା କରି ଯେଉଁ ତିନୋଟି ପ୍ରଶ୍ନର ଉତ୍ତର ଜିଜ୍ଞାସା କଲେ ତାହା ହିଁ ସମଗ୍ର ଭାଗବତ ମହାଗ୍ରନ୍ଥ। ସେ ତିନୋଟି ପ୍ରଶ୍ନ ହେଉଛି – କହ ଜୀବନ ଯିବା ବେଳେ – କିବା ସାଧିବି ମହିତଳେ, କିବା ଶୁଣିବ କର୍ଣ୍ଣ ପଥେ – ସ୍ମରଣ କି କରିବି ଚିତ୍ତେ, କିବା ବଚନ ଉଚ୍ଚାରଣ- ପୂଜି ବି କାହାର ଚରଣ। ଏ ସମସ୍ତ ପ୍ରଶ୍ନର ଉତ୍ତର କୃଷ୍ଣନାମ ଭଜନରେ ରହିଛି ବୋଲି ମୁନିବର କହିଛନ୍ତି। ବ୍ୟାସକୃତ ଏହି ସଂସ୍କୃତ ମହାକାବ୍ୟକୁ ନିଜ ନିରକ୍ଷର ଜନନୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ଷୋଡ଼ଶ ଶତାବ୍ଦୀରେ ପଞ୍ଚସଖା ଯୁଗର ଅନ୍ୟତମ ମହାକବି ଶ୍ରୀ ଜଗନ୍ନାଥ ଦାଶ ନବାକ୍ଷରୀ ଛନ୍ଦ ରଚନା କରିଥିଲେ।
ଭକ୍ତକବି ଜଗନ୍ନାଥଙ୍କ ପିତା ଭଗବାନ ଦାଶ ଥିଲେ ପୁରାଣ ପଣ୍ଡା। ମାତ୍ର ୧୬ ବର୍ଷ ବୟସରେ ପିତୃହରା ହୋଇ ତାଙ୍କୁ ତାଙ୍କର କୌଳିକ ବୃତ୍ତି ଗ୍ରହଣ କରିବାକୁ ହେଲା। ସ୍ବରଚିତ ଭାଗବତ ମହାପୁରାଣକୁ ଶ୍ରୀମନ୍ଦିରର ବଟ୍ଟଗଣେଶଙ୍କ ତଳେ ବସି ପାଠ କଲେ। ଏହି ସମୟରେ ଏକଦା ତାଙ୍କର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସହିତ ସାକ୍ଷାତ ହେଲା। ସେ ଭାଗବତ ପଠନ, ଗାୟନ, ମନନ ଓ ଚର୍ଚ୍ଚାରେ ବିମୁଗ୍ଧ ହୋଇ ତାଙ୍କୁ କୋଳାଗ୍ରତ ପୂର୍ବକ ଅତିବଡ଼ୀ ଉପାଧିରେ ଅଭିଷିକ୍ତ କଲେ। ତାଙ୍କର ଲୋକପ୍ରିୟତା ଓ ଉଚ୍ଚ ପ୍ରଶଂସା ତଥାକଥିତ ବଡ଼ପଣ୍ଡାମାନଙ୍କର ଈର୍ଷାର କାରଣ ହେଲା। ଫଳତଃ ସେ ତାଙ୍କୁ ଓ ଜନନୀଙ୍କୁ ବହୁ କଠିନ ସମୟ ଦେଇ ଗତି କରିବାକୁ ପଡ଼ିଲା। କିନ୍ତୁ ତାଙ୍କ ପ୍ରତିଭାର ସୁରଭୀ ଗଜପତି ପ୍ରତାପ ରୁଦ୍ର ଦେବଙ୍କ ସଦୟ ଦୃଷ୍ଟି ଆକର୍ଷଣ କଲା। ଗଜପତିଙ୍କ ମହାନୁଭବତାର ଫଳସୃତି ସ୍ବରୂପ ଶ୍ରୀକ୍ଷେତ୍ରରେ ନିର୍ଜନ ବେଳାଭୂମିରେ ସାତଲଉଡି ମଠ ନିର୍ମାଣ ହେଲା। ଆଜି ତାହା ପ୍ରତ୍ୟେକ ଓଡ଼ିଆର ମହାତୀର୍ଥ। କବି ଜନ ଉଇକ୍ଳିପଂ ଇଂଲିଶ ଭାଷାରେ ବାଇବେଲର ଅନୁବାଦ କରି ପ୍ରଚାର କରନ୍ତେ ଇଂଲଣ୍ଡର ସାମାଜିକ ଜୀବନରେ ଅଭୂତପୂର୍ବ ଜାଗରଣ ସୃଷ୍ଟି ହୋଇଥିଲା। ସେହିପରି ଇତିହାସ ପ୍ରସିଦ୍ଧ ମାର୍ଟିନ ଲୁଥର ବାଇବେଲକୁ ଜର୍ମାନ ଭାଷାରେ ଅନୁବାଦ କରି ୟୁରୋପରେ ଅଭାବନୀୟ ପରିବର୍ତ୍ତନ ସୃଷ୍ଟି କରିଥିଲେ। ଅନୁରୂପ ଥିଲା ଓଡ଼ିଆ ଭାଗବତ ଓ ଓଡ଼ିଶାର ଜନଜୀବନ।
ଓଡ଼ିଆ ଭାଗବତ ଓଡ଼ିଆ ଜାତିର ଗଣ୍ଠିଧନ। ଏହି ପୁଣ୍ୟଗ୍ରନ୍ଥ ଓଡ଼ିଆର ଜୀବନ ମରଣର ସାଥୀ। ସେଥିପାଇଁ ଗାଁ ଗାଁରେ ରହିଥିଲା ‘ଭାଗବତ ଟୁଙ୍ଗି’। ଭାଗବତ ଟୁଙ୍ଗି ତା’ର ଓ ଅଲେଖ ଟୁଙ୍ଗୀର ବିଲୁପ୍ତି ଆଜି ଜନଜୀବନକୁ କଳୁଷିତ କରିଛି- ରସାତଳକୁ ଟାଣି ନେଉଛି। ଏହାର ପୁନରୁଜ୍ଜୀବନ ଓଡ଼ିଆ ଜାତିର ଧ୍ୟେୟ ହେଉ।

ବିମଳ ପ୍ରସନ୍ନ ଦାସ
ମୋ: ୯୪୩୮୧୮୬୨୨୬