Categories: ଜାତୀୟ

ପଞ୍ଜାବରେ ଏଏପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ୍‌…

ଚଣ୍ଡିଗଡ଼, ୧୮।୧ : ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ୍‌ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏ ସମ୍ପର୍କରେ ମଙ୍ଗଳବାର ଘୋଷଣା କରିଛନ୍ତିି। ସାଧାରଣ ଜନତାଙ୍କ ମତାମତ ଆଧାରରେ ପଞ୍ଜାବରେ ଦଳର ମୁଖ୍ୟମନ୍ତ୍ରୀ ଚୟନ କରିବାକୁ କେଜ୍ରିୱାଲ ଘୋଷଣା କରିଥିଲେ। ଦଳ ପକ୍ଷରୁ ଏକ ନମ୍ବର ଜାରି କରାଯାଇ ଜନମତ ସଂଗ୍ରହ କରାଯାଇଥିଲା।

ଏଥିରେ ୨୨ ଲକ୍ଷରୁ ଅଧିକ ଲୋକ ନିଜର ମତ ଦେଇଛନ୍ତି। ସେମାନଙ୍କର ପ୍ରଥମ ପସନ୍ଦ ଭଗଓ୍ବନ୍ତ ମାନ୍‌ ରହିଛନ୍ତି। ଏହି ମତାମତ ଆଧାରରେ କେଜ୍ରିୱାଲ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି।

ମାନ୍‌ଙ୍କୁ ନେଇ କେଜ୍ରିୱାଲ ପୂର୍ବରୁ ସଙ୍କେତ ମଧ୍ୟ ଦେଇଥିଲେ। ପଞ୍ଜାବର ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ କେଜ୍ରିୱାଲ ମଞ୍ଚରେ କହିଥିଲେ ଯେ ସେ ଭଗଓ୍ବନ୍ତ ମାନ୍‌ଙ୍କୁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ପସନ୍ଦ କରନ୍ତି।

ଆମ ଆଦମୀ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ଭଗଓ୍ବନ୍ତ ମାନ୍‌ ସାଙ୍ଗରୁରୁ ଦୁଇଥର ଲୋକ ସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ନେଇ ସେ ମାଲୱା ଅଞ୍ଚଳ ସମେତ ପୁରା ପଞ୍ଜାବରେ ଲୋକପ୍ରିୟ।
ସେ ଜାଟ ଶିଖ ସମ୍ପ୍ରଦାୟର।

ଯୁବ ନେତା ଭଗଓ୍ବନ୍ତ ମାନ୍‌ଙ୍କର ସ୍ବଚ୍ଛ ଭାବମୂର୍ତ୍ତି ଏବଂ ବକ୍ତବ୍ୟ ଶୈଳୀ ହେଉଛି ତାଙ୍କର ଶକ୍ତି। ତେବେ ସମାଲୋଚକମାନେ ତାଙ୍କୁ ଅନଭିଜ୍ଞ ବୋଲି କହୁଛନ୍ତି ଏବଂ ତାଙ୍କ ବିରୋଧରେ ମଦ୍ୟପାନର ଅଭିଯୋଗ ମଧ୍ୟ କରାଯାଇଛି।

Share