Categories: ଜାତୀୟ

ମେଡିକାଲ ଛାତ୍ରୀ ଏବେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଚଣ୍ଡିଗଡ଼,୭ ।୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୁରୁବାର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଏବେ ସମସ୍ତଙ୍କ ମନରେ ବଡ ଉତ୍ସାହ ଜାଣିବା ପାଇଁ ଯେ ମାନଙ୍କ ଦ୍ୱିତୀୟ ପତ୍ନୀ କିଏ, କ’ଣ କରନ୍ତି, କେଉଁଠି ରୁହନ୍ତି ଇତ୍ୟାଦି । ଗଭୱନ୍ତ ମାନଙ୍କର ଏହା ଦ୍ୱିତୀୟ ବିବାହ, ୬ ବର୍ଷ ପୂର୍ବରୁ ସେ ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଅଲଗା ହୋଇ ସାରିଛନ୍ତି । ଏବେ ତାଙ୍କ ପ୍ରଥମ ପତ୍ନୀ ୨ ପିଲାଙ୍କ ସହ ଆମେରିକାରେ ରହୁଛନ୍ତି ।
ଏଥର ମାନ ନିରାଡମ୍ବର ଭାବେ ଖୁବ୍ କମ୍ ଅତଥିଙ୍କ ଉପସ୍ଥିତିରେ ବିବାହ କରିବାକୁ ଯାଉଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଏହି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନିବାସରେ ଏହି ବିବାହ ଅନୁଷ୍ଠିତ ହେବ ।
ମାନଙ୍କ ପତ୍ନୀ ହେବାକୁ ଯାଉଥିବା ଗୁରପ୍ରୀତ କୌର ତାଙ୍କ ପରିବାର ସହ ପୂର୍ବରୁ ପରିଚିତ । ମୁଖ୍ୟମନ୍ତ୍ରୀଙ୍କ ମାଆ ହିଁ ଏହି ବିବାହ ସ୍ଥିର କରିଥିବା କୁହାଯାଉଛି । ଏବେ ଭଗୱନ୍ତ ମାନଙ୍କୁ ୪୮ ବର୍ଷ ହୋଇଥିବା ବେଳେ ଗୁରପ୍ରୀତଙ୍କୁ ୩୨ ବର୍ଷ ବୟସ । କୁରୁକ୍ଷେତ୍ର ଜିଲା ପିହୋବାର ବାସିନ୍ଦା ହେଉଛନ୍ତି ଗୁରପ୍ରୀତ । ତାଙ୍କ ପିତା ଜଣେ କୃଷକ ହୋଇଥିବା ବେଳେ ମାଆ ଗୃହିଣୀ । ତାଙ୍କର ଗୋଟିଏ ଭଉଣୀ ଅଷ୍ଟ୍ରେଲିଆରେ ରହୁଥିବା ବେଳେ ଅନ୍ୟଜଣେ ଭଉଣୀ ଆମେରିକାରେ ରହୁଛନ୍ତି । ଗୁରପ୍ରୀତ ଘରେ ସବୁଠାରୁ ସାନ । ପାଠପଢାରେ ରୁଚିଥିବା ଗୁରପ୍ରୀତ ହରିୟାଣାର ମୌଲାନା ମେଡିକାଲ କଲେଜରୁ ପାସ ଆଉଟ । ଏବେ ଡା, ଗୁରପ୍ରୀତ କୌର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ହେବାକୁ ଯାଉଛନ୍ତି । କୁହାଯାଏ ପଞ୍ଜାବ ବିଧାନସଭା ନିର୍ବାଚନରେ ଗୁରପ୍ରୀତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଖୁବ୍ ସାହାଯ୍ୟ କରିଥିଲେ ।

Share