ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କଲେ ଭକ୍ତ ଦାସ

କେସିଙ୍ଗା,୬।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୯ ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଜନସମ୍ପର୍କ ପଦଯାତ୍ରା କରିବା ସହ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ଅନ୍ୟପକ୍ଷେ ନିର୍ବାଚନ ଯେତିକି ପାଖେଇ ଆସୁଛି, ଗ୍ରାମାଞ୍ଚଳରେ ଉଷ୍ମତା ସରଗରମ ହୋଇଉଠୁଛି। ନର୍ଲା ନିର୍ବାଚନମଣ୍ଡଳୀ ଅଧୀନରେ କେସିଙ୍ଗା ବ୍ଳକର ୯ ପଞ୍ଚାୟତ ରହିଛି। ତୁଣ୍ଡଳା ପଞ୍ଚାୟତରୁ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ନିର୍ବାଚନ ପ୍ରଚାର ଆରମ୍ଭ କରି ଦିଗଶିରା, ସିରଜାପାଲି, ହାତୀଖୋଜ, ବେଲଖଣ୍ଡି ଆଦି ପଞ୍ଚାୟତର ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ।

ପରିକ୍ରମା ବେଳେ ଗ୍ରାମବାସୀ ଭକ୍ତ ଦାସଙ୍କୁ ଫୁଲମାଳ ଦେଇ ସ୍ବାଗତ କରିବା ସହ ସମର୍ଥନ ଜଣାଇଥିଲେ। ଏହି ଅବସରରେ ଭକ୍ତ ଦାସ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ କଂଗ୍ରେସର ବିଭିନ୍ନ ଗ୍ୟାରେଣ୍ଟି ଉପରେ ଅବଗତ କରାଇଥିଲେ। ଏପରିକି ନର୍ଲା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଜୟୀ ହେଲେ ଅଞ୍ଚଳର ରହିଥିବା ବିଭିନ୍ନ ଦାବିକୁ ବିଧାନସଭାରେ ପ୍ରଥମେ ଉପସ୍ଥାପନ କରିବାକୁ ଭକ୍ତ କହିଥିଲେ। ଏପରିକି ଲୋକଙ୍କ ନ୍ୟାୟଦେବା ମୋର ପ୍ରଥମ କର୍ତ୍ତବ୍ୟ ବୋଲି ଭକ୍ତ ପ୍ରକାଶ କରିଥିଲେ।

ଏହି ଜନ ସମ୍ପର୍କ ପଦଯାତ୍ରାରେ ଜିଲାର ଲୋକ ସଭା ପ୍ରାର୍ଥୀନୀ ଦ୍ରୌପଦୀ ମାଝୀଙ୍କ ସମେତ କଂଗ୍ରେସର ବରିଷ୍ଠ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।