ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ): ଶ୍ରୀବିଘ୍ନରାଜ ଚାରିଟେବୁଲ ଏବଂ ସମ୍ଭବ ସାହିତ୍ୟ ପରିବାର ପକ୍ଷରୁ ରାଜ୍ୟସ୍ତରୀୟ ଭଞ୍ଜ ସାହିତ୍ୟ ଆଲୋଚନାଚକ୍ର ଶନିବାର ଭୁବନେଶ୍ବରସ୍ଥିତ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଛି । ପ୍ରଥମ ଅଧିବେଶନରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ସେ କହିଥିଲେ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ, କବିତା ବିଶ୍ୱ ପ୍ରସିଦ୍ଧ। ଏହିଭଳି ଜଣେ ବିଶ୍ବ ପ୍ରସିଦ୍ଧ ମହାନ କବିଙ୍କ ପାଇଁ ଘୁମୁସର ମାଟି ଆଜି ଗର୍ବିତ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ କବିତାର ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନିଆଯାଇଛି। ଯୁବପିଢୀଙ୍କୁ ନେଇ ଭଞ୍ଜଙ୍କ କାବ୍ୟ, କବିତାର ସୁରକ୍ଷା କରାଯିବ ବୋଲି ବିଧାୟକ ନାୟକ କହିଥିଲେ।
ଅନ୍ୟପକ୍ଷେ କଳା, ସାହିତ୍ୟ, ସ୍ଥାପତ୍ୟ, କ୍ରୀଡା, ନୃତ୍ୟ, ପରିବେଶ ସୁରକ୍ଷା ଉପରେ କାମ କରୁଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଡ.ରୋଜାଲିନ ସେନାପତି ସଭାପତିତ୍ୱ କରିଥିଲେ। ଭଞ୍ଜ ସାହିତ୍ୟ ଉପରେ ଭୁବନେଶରରୁ ଆରମ୍ଭ ହୋଇଥିବା ଏହି ଆଲୋଚନାଚକ୍ର ଆଗାମୀ ଦିନରେ ସବୁ ଜିଲାରେ ହେବ ବୋଲି ଅଧ୍ୟକ୍ଷା ସେନାପତି କହିଥିଲେ।
ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ସମ୍ମାନିତ ଅତିଥି ଭାବେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଆକାଶବାଣୀ କେନ୍ଦ୍ରର ପୂର୍ବତନ ନିର୍ଦ୍ଧେଶକ ଡ. ଶାନ୍ତନୁ କୁମାର ରଥ, ଡ. ହିମାଂଶୁ ଶେଖର ଦାଶ, ଡ. ଲକ୍ଷ୍ମୀ ନାରାୟଣ ଦାଶ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଦ୍ୱିତୀୟ ଅଧିବେଶନର ଉଦ୍ଘାଟକ ଭାବେ ପୂର୍ବତନ ମନ୍ତ୍ରୀ ଡ. ଅରୁଣ ସାହୁ ,ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ, ମୁଖ୍ୟବକ୍ତା ଭାବେ ବିଡ଼ିପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ୟାମାପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ଭାବେ ରଞ୍ଜିତ ପ୍ରଧାନ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ। ସଭାପତି ରଞ୍ଜିତ ପ୍ରଧାନ ଧନ୍ୟବାଦ ଦେଇଥିଲେ।


