ବ୍ଲକ କାର୍ଯ୍ୟାଳୟ ଆଗରେ ଗର୍ଜନ କଲା ଭଞ୍ଜସେନା

ମୋରଡ଼ା,୧୧ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ କାର୍ଯ୍ୟାଳୟ ଆଗରେ ଜିଲାର ଜାଗ୍ରତ ପ୍ରହରୀ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛି। ସଂଗଠନର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନାଙ୍କ ଆହ୍ବାନକ୍ରମେ ତଥା ଜିଲା କାର୍ଯ୍ୟକାରୀ ଅଧ୍ୟକ୍ଷ ସଂଜୀବ ରାଉତଙ୍କ ନେତୃତ୍ୱରେ ହଜାର ହଜାର ଭଞ୍ଜସେନା କର୍ମୀ ସ୍ଥାନୀୟ ମୋରଡ଼ା ତାରିଣୀ ମନ୍ଦିର ଛକଠାରୁ ବାଇକ୍‌ ରାଲି ଯୋଗେ ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟ ଆଗରେ ପହଞ୍ଚିବା ପରେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ବାଲି ଯୋଗାଣ ଓ ଗୃହ ନିର୍ମାଣ ଅବଧିକୁ ବୃଦ୍ଧି କରିବା, ହାତୀ ଉପଦ୍ରରେ ବାସଗୃହ ହରାଉଥିବା ପରିବାରକୁ ସ୍ବଳ୍ପ ଅର୍ଥ ପ୍ରଦାନ ବଦଳରେ ନୂତନ ଗୃହ ଯୋଗାଇବା, ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ପନ୍ଦର ଦିନ ମଧ୍ୟରେ ସହାୟତା ପ୍ରଦାନ, ଭତ୍ତା ହିତାଧିକାରୀଙ୍କ ଭତ୍ତା ରାଶିକୁ ଦୁଇ ହଜାର ଟଙ୍କା ବୃଦ୍ଧି, ଆବଶ୍ୟକୀୟ ଡାକ୍ତର ନିଯୁକ୍ତି, କର୍ମଚାରୀ ଓ ସମସ୍ତ ଜରୁରୀକାଳିନ ସୁବିଧା ଉପଲବ୍ଧ କରିବା,ସୁବର୍ଣ୍ଣରେଖା ଜଳ ପ୍ରକଳ୍ପ ଦ୍ୱାରା ଅତିଶୀଘ୍ର ଚାଷଜମିକୁ ପାଣି ଯୋଗାଇବା, ପଞ୍ଚାୟତସ୍ତରରେ ଥିବା ଗୋଚର, ସରକାରୀ,ପତିତ,ଦେବଦତ୍ତ ଜମି ବିବାଦର ସମାଧାନ, ଅଘୋଷିତ ବିଦ୍ୟୁତ କାଟ୍‌ ଓ ବିଦ୍ୟୁତ୍‌ ଶୁଳ୍କ ହ୍ରାସ କରିବା, ଚିତ୍ରଡ଼ା-ଅମର୍ଦ୍ଦା ରାଜ୍ୟ ରାଜପଥ କଡ଼ରେ ଥିବା ରାଜା ରାଜୁଡା ଅମଳର ରାଜାବନ୍ଧର ପଙ୍କ ଉଦ୍ଧାର ସହିତ ସୌନ୍ଦର୍ଯ୍ୟକରଣ କରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ଇତ୍ୟାଦି ଦାବିକୁ ନେଇ ଭଞ୍ଜସେନା ଜିଲା କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ ଗର୍ଜନ କରିଥିଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ l ସେହିପରି ଗତ ପଞ୍ଚାୟତ ସମିତି ବୈଠକରେ ସରପଞ୍ଚ ଓ ସମିତି ସଭ୍ୟାସଭ୍ୟମାନେ ବୈଠକକୁ ବର୍ଜନ କରିଥିବା କଥାକୁ ଦୋହରାଇ ଥିଲେ ଶ୍ରୀ ରାଉତ। ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ପାଇଁ ମଧ୍ୟ ଲଢ଼େଇ କରିବ ବୋଲି କହିଥିଲେ ଶ୍ରୀ ରାଉତ।

ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜସେନାର ମୋରଡା ବ୍ଲକ ଶାଖା ସଭାପତି ପରିତୋଷ ବାରିକ, ଜିଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଓବିସି ସେଲ୍‌ ଶାଖା ସଭାପତି ରାକେଶ ବେହେରା,ବାର୍ସା ହେମ୍ବ୍ରମ, ଆଲୋକ ବେହେରା, ଲୋକନାଥ ବେହେରା ପ୍ରମୁଖଙ୍କ ସହିତ ଶହ ଶହ କର୍ମୀ ଉପସ୍ଥିତ ଥିଲେ।