ସରୁନି ଭାନୁଙ୍କ ସଂଘର୍ଷ

ବଇଣ୍ଡା,  ୫।୭(ପରିକ୍ଷିତ ସାହୁ) : ୧୦ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ପରେ ବଞ୍ଚିବା ଦୁର୍ବିଷହ ହୋଇପଡିଛି। ୨ ସନ୍ତାନଙ୍କ ଦାୟିତ୍ୱ ତୁଲାଇବାକୁ ଚେଷ୍ଟା କରି ଯେନତେନ ପେଟ ପାଇଁ ଦାନା ଗଣ୍ଡେ ଯୋଗାଡ ହେଉଛି। କିନ୍ତୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ପାଇଁ ଦୀର୍ଘ ବର୍ଷ ହେଲା ଚାଲିଥିବା ସଂଘର୍ଷ ଶେଷ ହେଉନି। ସରକାରୀ ଯୋଜନାରେ ପକ୍କାଘରଟିଏ ପାଇବାକୁ ଆବେଦନ କରିବା ସତ୍ତ୍ୱେ ଏଥିରୁ ବଞ୍ଚିତ୍ତ ହୋଇଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ବିଲେଇନାଳୀ ଗ୍ରାମର ଭାନୁ ଦେହୁରୀ (୫୨)। ପ୍ରଶାସନକୁ ଦୁଃଖ ଜଣାଇଥିଲେ ମଧ୍ୟ ତାଙ୍କ ଦୁର୍ଦ୍ଦଶା କାହାରି ଦୃଷ୍ଟିକୁ ଆସୁ ନ ଥିବା ସେ ପ୍ରକାଶ କରିଛନ୍ତି।
ଭାନୁଙ୍କ କହିବା ଅନୁଯାୟୀ, ତାଙ୍କ ଜମିରେ ଦୀର୍ଘ ବର୍ଷରୁ ଥିବା ଏକ ଚାଳିଆରେ ଗୋଟିଏ ପୁଅ ଓ ଝିଅଙ୍କୁ ନେଇ ସେ ରହୁଛନ୍ତି।

ଶେଷଥର ପାଇଁ ୨୦୧୫ରେ ମୂଲ ମଜୁରି ଲାଗି ବହୁ କଷ୍ଟରେ ଛପର କରିଥିଲେ। କିନ୍ତୁ ୫ ବର୍ଷ ହେଲା ଅର୍ଥ ଅଭାବରୁ ଆଉ ଘର ଛପର ହୋଇପାରିନାହିଁ। କାନ୍ଥଗୁଡିକ ଭାଙ୍ଗି ଯାଇଥିବାବେଳେ ଛପର ନଷ୍ଟ ହୋଇଗଲାଣି। ଖରା, ବର୍ଷାରୁ ବର୍ତ୍ତିବା ପାଇଁ ଏକ ଜରିପାଲ ଚାଳ ଉପରେ ଘୋଡାଇଥିବାବେଳେ ତାହା ମଧ୍ୟ ପବନରେ ଉଡି ଚିରି ଗଲାଣି। ବର୍ଷା ହେଲେ ଘର ଭିତରେ ପାଣି ପଶିଯାଉଥିବାରୁ ସେଠାରେ ରହିହେଉନାହିଁ। କେଉଁ ମୁହୂର୍ତ୍ତରେ କାନ୍ଥ ଭଶୁଡିପଡିବା ଆଶଙ୍କା ରହିଛି। ଏପରିସ୍ଥିତିରେ ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନାରେ ଘର ଖଣ୍ଡିଏ ସହ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି। ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ସରପଞ୍ଚ ନବକିଶୋର ସାହୁ କୁହନ୍ତି, ଭାନୁଙ୍କୁ କିପରି ପକ୍କାଘର ମିଳିବ ସେ ନେଇ ବ୍ଲକ ପ୍ରଶାସନକୁ ଅବଗତ କରାଯିବ।