Categories: ଜାତୀୟ

୧୬ ଫେବୃୟାରୀରେ କାହିଁକି ଭାରତ ବନ୍ଦ

ନୂଆଦିଲ୍ଲୀ,୧୫।୨: ୨୦୨୦ ସେପ୍ଟେମ୍ବର ୨୭ରେ କେନ୍ଦ୍ର ସରକାର ୩ଟି କୃଷି ଆଇନ ପ୍ରଣୟନ କରିଥିଲେ। ସେଗୁଡ଼ିକ ହେଲା କୃଷକଙ୍କ ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ଆଇନ, କୃଷକ (ସଶକ୍ତୀକରଣ ଓ ପ୍ରୋତ୍ସାହନ) ମୂଲ୍ୟ ଆଶ୍ୱାସନା ଓ କୃଷି ସେବା ଚୁକ୍ତି ସମ୍ପର୍କିତ ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ)। ଏହାକୁ ନେଇ ସାରା ଦେଶର କୃଷକମାନେ ଆନ୍ଦୋଳନ କରିଥିଲେ।

କୃଷି ଆଇନରେ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍ପି) ବ୍ୟବସ୍ଥା ନ ଥିବା ଏବଂ ଖାଦ୍ୟଶସ୍ୟ ଦର ନିର୍ଦ୍ଧାରଣ ଉପରେ ବୃହତ୍‌ ଶିଳ୍ପଗୋଷ୍ଠୀଙ୍କ ଏକଚାଟିଆ ଅଧିକାର ରହିବା ଆଶଙ୍କା କରି ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରାୟ ବର୍ଷେ ଧରି ଏହି ଆନ୍ଦୋଳନ ଚାଲିଥିଲା। ଶେଷରେ ୨୦୨୧ ନଭେମ୍ବର ୧୯ରେ ସରକାର କୃଷକଙ୍କ ଦାବି ଆଗରେ ମୁଣ୍ଡ ନୁଅଁାଇ ୩ ବିବାଦୀୟ ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ। ସେତେବେଳେ ସରକାର ଚାଷୀମାନଙ୍କୁ ଏମଏସ୍‌ପି ଆଇନ ଆଣିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏମଏସ୍‌ପି ଉପରେ ଅଦ୍ୟାବଧି କୌଣସି ଆଇନ ଅଣାଯାଇ ନ ଥିବାରୁ ପୁଣି ଥରେ ଦେଶରେ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି।

ପ୍ରଦେଶ, ହରିୟାଣା ଓ ପଞ୍ଜାବର କୃଷକମାନେ ଫେବୃଆରୀ ୧୩ରେ ‘ଦିଲ୍ଲୀ ଚଲୋ’ ଆହ୍ବାନ ଦେଇଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ) ଏବଂ କିଷାନ ମଜଦୁର ମୋର୍ଚ୍ଚା (କେଏମଏମ) ସମେତ ୨୬ଟି କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତା ୧୬ରେ ‘ଭାରତ ବନ୍ଦ’ ପାଇଁ ମଧ୍ୟ ଡାକରା ଦିଆଯାଇଛି। ଏହି ୩ କୃଷିବହୁଳ ରାଜ୍ୟ ସମେତ ଦେଶର ବିଭିନ୍ନ ଭାଗରୁ ପ୍ରାୟ ୨୦୦ କୃଷକ ସଙ୍ଗଠନର ୨୦ ହଜାର ଚାଷୀ ଏମଏସ୍‌ପି ଆଇନ ଦାବିରେ ଦିଲ୍ଲୀରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଛନ୍ତି। ଅଥଚ ମୋଦି ସରକାର ଏହାକୁ ମାନିବା ପାଇଁ ପ୍ରସ୍ତୁତ ନାହାନ୍ତି।

ଇତିମଧ୍ୟରେ ଉତ୍ତର ପ୍ରଦେଶର କୃଷକ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଓ ସର୍ବନିମ୍ନ ସହାୟକ ମୂଲ୍ୟର ପ୍ରବକ୍ତା ସବୁଜ ବିପ୍ଳବର ପିତା କୁହାଯାଉଥିବା କୃଷି ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ଭଳି ଦେଶର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ତଥାପି, କୃଷକମାନେ ପୁଣି ଥରେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଫେବୃଆରୀ ୧୩ରେ ପଞ୍ଜାବ-ହରିୟାଣାର କୃଷକମାନେ ଦିଲ୍ଲୀରେ ପହଞ୍ଚି ନେତା ଓ ମନ୍ତ୍ରୀଙ୍କୁ ଘେରି ରହିବାକୁ ଯୋଜନା କରିଥିଲେ। ସମ୍ଭାବ୍ୟ କୃଷକଙ୍କ ଆନ୍ଦୋଳନ ପାଇଁ ଦିଲ୍ଲୀ ପୋଲିସ ସତର୍କ ରହିଛି। ସେମାନଙ୍କୁ ବିଭିନ୍ନ ସ୍ଥାନରେ ଅଟକାଇବା ପାଇଁ ବ୍ୟବସ୍ଥା କରାଯାଇଛି।

Share